ବୌଦ୍ଧ: ଦିନକୁ ଦିନ ବଢିବାରେ ଲାଗିଛି ଦାଦନ ଦୁଃଖ । ଘାଣ୍ଟି ହେଉଛି ପରିବାର । ଆମେ କହୁଛୁ ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ମେଣ୍ଢିମାଳ ଗାଁର ଦେବର୍ଷି କହଁରଙ୍କ କଥା । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ତାଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଯିବାରୁ ସରକାରୀ ସ୍ତରରେ ତାଙ୍କ ମୃତଦେହ ନ ଅଣାଯିବାରୁ ଶେଷରେ ସ୍ବେଚ୍ଛାସେବୀମାନେ ତାଙ୍କ ମୃତଦେହକୁ ଧରି ଫେରିଥିଲେ । ଘଟଣାକୁ ଠିକ ବର୍ଷେ ବିତିଛି । ହେଲେ ଏପଟେ, ମୃତକଙ୍କ ଭାଇ ନରୋତ୍ତମ ମଧ୍ୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ଗତ ସାତ ତାରିଖରେ ଗାଁକୁ ଫେରି କୋରୋନା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ।
ତେବେ ସେଠାରେ ତାଙ୍କର ଅସ୍ବାଭାବିକ ଭାବରେ ତାଙ୍କ ମୃତ୍ୟୁ ହୋଇଗଲା । ପରିସ୍ଥିତି ଏପରି ଥିଲା ଯେ କୋରୋନା ଭୟରେ ମୃତଦେହକୁ ପରିବାର ଦେଖି ମଧ୍ୟ ପାରିଲେ ନାହିଁ । ଶ୍ମଶାନ ଘାଟରେ ପ୍ରଶାସନ ପକ୍ଷରୁ ତାଙ୍କ ଶବଦାହ କରାଗଲା । ତେବେ ଏହି ଘଟଣାକୁ ମାସେ ବିତିଯାଇଛି । ପରିବାରକୁ ସରକାର ସ୍ବତନ୍ତ୍ର ସହାୟତା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ । ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ