ବୌଦ୍ଧ: କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଥିଲା ଗାଡି । ହେଲେ ଅର୍ଥର ମୋହରେ ବିବାହ କାର୍ଯ୍ୟକୁ ଯାଇ ପୋଲିସ ହାବୁଡରେ ପଡିଲା । ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ଲକଡାଉନ ସମୟରେ କୋଭିଡ କାର୍ଯ୍ୟରେ ଲାଗିଥିବା ବୋଲେରୋ ଗାଡି ବିବାହ କାର୍ଯ୍ୟରେ ଲାଗିବା ପରେ ଧରାପଡି ହଟହଟା ହୋଇଛି । ବିବାହ ପୁଣି ଜଣେ ରିଜର୍ଭ ପୋଲିସରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀଙ୍କ ବୋଲି ଜଣାପଡିଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଟୁଟୁସିଙ୍ଗା ଗ୍ରାମର ଜନୈକ ଯୁବକଙ୍କ ବିବାହ ଧାର୍ଯ୍ୟ ଲଗ୍ନ ମୁତାବକ ସୋମବାର ପଡୋଶୀ ଅନୁଗୁଳ ଜିଲ୍ଲାର ଅରକୁଳ ଗାଁରେ ସାମାଜିକ ଦୂରତା ରଖି ମୁହଁରେ ମାସ୍କ ପିନ୍ଧି କେବଳ ଔପଚାରିକ ଭାବରେ ପାଳନ ହୋଇଥିଲା । ତେବେ ଆଶ୍ଚର୍ଯ୍ୟ କଥା ବୌଦ୍ଧ ଡାକ୍ତରଖାନାର କୋଭିଡ କାର୍ଯ୍ୟରେ ନିୟୋଜିତ ଏକ ବଲେରୋ ଗାଡି ଏହି ବିବାହରେ ଯାଇଥିଲା । ଯୋଜନା ମୁତାବକ ସବୁକିଛି ଠିକଠାକ ଥିଲା । କିନ୍ତୁ ବିବାହ ପରେ ନବ ବଧୂକୁ ନେଇ ଫେରିବା ସମୟରେ ବୌଦ୍ଧ ସିମା ସିଲ ଥିବା ବ୍ରିଜଛକ ନିକଟରେ ପୋଲିସ ହାବୁଡରେ ପଡିଥିଲା ।
ନବ ଦମ୍ପତି ମଙ୍ଗଳବାର ଯୋଗୁଁ ଗୃହ ପ୍ରବେଶ କରିନପାରି ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ । ସେପଟେ ସମ୍ପୃକ୍ତ ଗାଡିକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ