ବୌଦ୍ଧ: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ବୌଦ୍ଧରେ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି । ଜିଲ୍ଲାରେ ଚରମ ଶିଖରରେ ପହଞ୍ଚିଛି ମନରେଗା ଦୁର୍ନୀତି । ମନରେଗା ଯୋଜନା ଅନ୍ତର୍ଗତ ଜଳଛାୟା ପ୍ରକଳ୍ପରେ ପୂର୍ବରୁ ଆମ୍ବ ଓ ଅନ୍ୟାନ୍ୟ ଫଳ ବଗିଚା ଗାୟବ ହୋଇ କୋଟି କୋଟି ଟଙ୍କାର ଆତ୍ମସାତ୍ ହୋଇଥିବାର ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଭିଜିଲାନ୍ସ ବିଭାଗ କେବଳ ଧର୍ମକୁ ଆଖିଠାର ଭଳି ପକେଟ ଗରମ କରି ବସିଗଲେ । ବର୍ତ୍ତମାନ ପୁଣିଥରେ ମନରେଗା ଯୋଜନାରେ ଜଳଛାୟା ପ୍ରକଳ୍ପ ନାଁରେ ଆସିଛି ପୁଳା ପୁଳା ଅଭିଯୋଗ । ବିଭାଗୀୟ ଅଧିକାରୀଙ୍କ ପ୍ରରୋଚନାରେ ଏସବୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ କ୍ଷେତ ପୋଖରୀ ଯୋଜନାରେ ମନରେଗା ମାଧ୍ୟମରେ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରାୟ ସବୁ ସ୍ଥାନରେ ମନରେଗା ଯୋଜନାରେ ମେସିନ ଦ୍ବାରା ପୋଖରୀ ଖନନ କାର୍ଯ୍ୟ ସମ୍ପାଦନ ହେଉଛି । ତାହାପୁଣି ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେଉଥିବା ଅଭିଯୋଗ ହୋଇଛି ।
ସେପଟେ କଣ୍ଟାମାଳ ବ୍ଲକର କେତେକ ସ୍ଥାନରେ ହିତାଧିକାରୀଙ୍କ ପୋଖରୀ ବର୍ତ୍ତମାନ ଗାୟବ ହୋଇଯାଇଛି । କେବଳ କାଗଜପତ୍ରରେ ପୋଖରୀ ଖନନ ଦର୍ଶାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ