ବୌଦ୍ଧ: ପ୍ରେମର ଦିବସ ଅର୍ଥାତ ‘ଭାଲେଣ୍ଟାଇନ ଡେ’ରେ ନିଜ ପ୍ରେମିକାକୁ ନେଇ ପ୍ରେମିକ ମାରିଲା ଚମ୍ପଟ । ଶୁକ୍ରବାର ସାରା ବିଶ୍ବ ପାଳିଛି ପ୍ରେମର ଦିବସ ‘ଭାଲେଣ୍ଟାଇନ ଡେ’। ତେବେ ଏହି ପାଶ୍ଚାତ୍ୟ ସଂସ୍କୃତିର ଦିବସରେ ନିଜ ପ୍ରେମିକାକୁ ନେଇ ପ୍ରେମିକ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି ।
ତେବେ ଶୁକ୍ରବାର ବୌଦ୍ଧ ଥାନା ଅଧିନରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ତିନି ତିନୋଟି ଫେରାର ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଛି । ଏହା ମଧ୍ୟରୁ ଦୁଇଟି ଘଟଣାରେ ନାବାଳିକା ଝିଅକୁ ପ୍ରଲୋଭିତ କରି ପ୍ରେମିକ ନେଇ ଯାଇଥିବାବେଳେ ତୃତୀୟ ଘଟଣାରେ ଜଣେ ବିବାହିତ ମହିଳା ନିଜ ପୂର୍ବ ପ୍ରେମିକ ସହିତ ଫେରାର ହୋଇଯାଇଥିବା ତାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି ।
ଏମାନଙ୍କ ମଧ୍ୟରୁ ଜଣେ 15 ବର୍ଷୀୟା ନାବାଳିକାଙ୍କ ଘର ସାମ୍ପୋଚ ହୋଇଥିବା ବେଳେ ହରଭଙ୍ଗା ଥାନା ଅନ୍ତର୍ଗତ ବୁଲୁରା ଗ୍ରାମର ଜନୈକ ଯୁବକ ତାଙ୍କୁ ଅଟୋ ସାହାଯ୍ୟରେ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଏହାସହ ବୌଦ୍ଧ ଥାନା ପକ୍ଷରୁ ଅପହରଣରେ ବ୍ୟବହୃତ ଅଟୋକୁ ଜବତ କରାଯାଇଥିବା ବେଳେ ଉଭୟଙ୍କ ସନ୍ଧାନ ମିଳିପାରି ନାହିଁ । ଅନ୍ୟ ଏକ ମାମଲାରେ 16 ବର୍ଷୀୟା ନାବାଳିକାଙ୍କ ଘର ବୁଟୁପାଲିରୁ ମାଉଳିସିଙ୍ଗାରେ ଭଡାଘରେ ରହୁଥିବା ଜନୈକ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ତେବେ ଏହି ଗୋଟିଏ ଦିନରେ ବୌଦ୍ଧ ଥାନା ଅଧିନରେ ଏଭଳି ତିନୋଟି ଅପହରଣ ତଥା ଫେରାର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ