ବୌଦ୍ଧ: ଗୌତମ ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଜିଲ୍ଲାରେ ବୁଦ୍ଧ ପୂର୍ଣ୍ଣିମା ପାଳିତ ହୋଇଛି । ଫଳରେ ବୁଦ୍ଧମୟ ହେଲା ସାରା ଜିଲ୍ଲା । ବୌଦ୍ଧ ଧର୍ମକୁ ନେଇ ନିଜର ସ୍ବତନ୍ତ୍ର ପରିଚୟ ଥିବା ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଜିଲ୍ଲାର ବୌଦ୍ଧ ସହର ସହିତ ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଛି ବୁଦ୍ଧଙ୍କ ପ୍ରତିମା ଓ ବୌଦ୍ଧ ବିହାରର ଧ୍ବଂସାବଶେଷ । ଖ୍ରୀଷ୍ଟପୂର୍ବ କାଳରୁ ହିଁ ଏହି ଅଞ୍ଚଳ ବୌଦ୍ଧ ଧର୍ମାବଲମ୍ବୀଙ୍କ ସ୍ବତନ୍ତ୍ର ଆକର୍ଷଣ ରହିଥିଲା । ପରିବର୍ତ୍ତୀ ସମୟରେ ବୌଦ୍ଧ ଧର୍ମ ଏହି ଅଞ୍ଚଳରୁ ଲୋପ ପାଇଯାଇଥିଲେ ମଧ୍ୟ ବୌଦ୍ଧ ସ୍ଥାପତ୍ୟ ଗୁଡିକର ଧ୍ବଂସାବଶେଷ ଅଦ୍ୟାବଧି ଦେଖିବାକୁ ମିଳୁଛି ।
ବୁଦ୍ଧ ଜୟନ୍ତୀ ଅବସରରେ ସମଗ୍ର ବୌଦ୍ଧ ଜିଲ୍ଲା ଉତ୍ସବ ମୁଖର ହୋଇଉଠିଥିଲା । ବୌଦ୍ଧ ସହର ସମେତ ଶ୍ୟାମସୁନ୍ଦରପୁର ଓ ପରଗଳପୁରର ବୁଦ୍ଧ ପ୍ରତିମା ନିକଟରେ ବୌଦ୍ଧ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାଛଡା ହରଭଙ୍ଗା ବ୍ଲକର ମାଧପୁର ଓ କଣ୍ଟାମାଳ ବ୍ଲକର ମନମୁଣ୍ଡାଠାରେ ବୁଦ୍ଧଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତୀ ଅନାବରଣ ହୋଇଥିବା ବେଳେ ତିନୋଟି ବ୍ଲକ ସହିତ ବୌଦ୍ଧ ଏନଏଏସି, କେଲାକଟା ଭୀମ ପାହାଡର ଶୀର୍ଷରେ ଓ ବାଘଗୁଡା ଛକ ଠାରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରାଯାଇଛି ।
ଏହି ସମସ୍ତ ପ୍ରତିମୂର୍ତ୍ତୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ବୈଶାଖ ମାସ ପୂର୍ଣ୍ଣିମାକୁ ବୁଦ୍ଧପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ବୁଦ୍ଧଙ୍କ ଜନ୍ମ ହୋଇଥିଲା। ଏହି ଦିନ କଠିନ ସାଧନା ବଳରେ ବୌଦ୍ଧିକ ଜ୍ଞାନପ୍ରାପ୍ତ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ବାସ ରହିଛି । ଏହି ବୌଦ୍ଧ ଧର୍ମାଲମ୍ବୀ ଉପସାନା କରିଥାନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ