ବୌଦ୍ଧ: ଗ୍ରାମାଞ୍ଚଳର ବିକାଶ ନେଇ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସତ୍ତ୍ବେ ବିକାଶ ଆଗେଇ ପାରୁନାହିଁ । ଉପାନ୍ତ ଅଞ୍ଚଳକୁ ସତେ ଯେପରି ବାଟ ହୁଡୁଛି ବିକାଶ । ମାଳମାଳ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ୭ଟି ପଞ୍ଚାୟତ । ସରକାରଙ୍କ ବିକାଶର ଲମ୍ବା ତାଲିକା ସହ ଏସବୁ ଅଞ୍ଚଳ ଯୋଡ଼ି ହୋଇରପାରିନାହିଁ । ନାଁ ଅଛି ପାନୀୟ ଜଳ ସୁବିଧା, ଆଉ ଗାଁକୁ ଯାଇଛି ଭଲ ରାସ୍ତା । ଖାଲି ସେତିକି ନୁହେଁ ବିଦ୍ୟୁତ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ପଛୁଆ ହୋଇ ରହିଛି ଏସବୁ ଅଞ୍ଚଳ ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସୀମାରେ ଥିବା ଶଗଡା, ମନମୁଣ୍ଡା, ଲମ୍ବସରୀ, ଗୁଡଭେଲିପଦର, ବିଳାସପୁର, ଶୁଣ୍ଢିପଦର, ବରଗୋଛା ଭଳି ସାତଟି ପଞ୍ଚାୟତରେ ସମସ୍ୟାର ଲମ୍ବା ତାଲିକା ରହି ଆସିଛି । ଏସବୁ ଅଞ୍ଚଳରେ ସରକାରୀ ସ୍ତରରେ ଉଚ୍ଚ ଶିକ୍ଷାନୁଷ୍ଠାନ ଆଦୌ ନଥିବା ବେଳେ ପ୍ରତିଷ୍ଠା ହୋଇଥିବା ହାଇସ୍କୁଲ ମଧ୍ୟରୁ ଅନେକ ସ୍ଥାନରେ ବ୍ୟାପକ ସମସ୍ୟା ରହିଛି । କେତେକ ବିଦ୍ୟାଳୟରେ ପାନୀୟଜଳଠାରୁ ନେଇ ପାଚେରୀ, ଶୌଚାଳୟ, ବିଦ୍ୟୁତ ଆଦୌ ନାହିଁ । ଏସବୁ ପଞ୍ଚାୟତକୁ ସଂଯୋଗ କରୁଥିବା ମନମୁଣ୍ଡାରୁ ଶଗଡା ରାସ୍ତାରେ ବର୍ତ୍ତମାନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ନାଁରେ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏହାଛଡା ଅନେକ ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ସବୁଦିନିଆ ଭଲ ରାସ୍ତା ଖଣ୍ଡେ ନାହିଁ । ତେଣୁ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ପଞ୍ଚାୟତ ନିକଟରେ ବାଘନଦୀ, ମେହରୁଣୀ ଓ ତେଲନଦୀ ଭଳି ନଦୀନାଳ ପ୍ରବାହିତ ହେଉଥିଲେ ମଧ୍ୟ ବର୍ଷବର୍ଷ ଧରି ଏଠାରେ ପାନୀୟଜଳ ଓ ଜଳସେଚନର ସମସ୍ୟା ଲାଗି ରହୁଛି । ଅନେକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗରେ ବ୍ୟାପକ ସମସ୍ୟା ରହିଥିବା ମଧ୍ୟ ଅଭିଯୋଗ ହୋଇଛି ।
ମନମୁଣ୍ଡାଠାରେ ଥିବା ଥାନା ଓ ଡାକ୍ତରଖାନା ଉପରେ ହିଁ ଅଞ୍ଚଳର ଅଧିବାସୀ ନିର୍ଭର କରୁଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ । ଅନେକ ସମୟରେ ଏଠାରେ ଅସାମାଜିକ କାର୍ଯ୍ୟ ବିରୋଧରେ ପଦକ୍ଷେପକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ଏହି ଅଞ୍ଚଳ ଗୁଡ଼ିକର ଅଧିକାଂଶ ଅଧିବାସୀ କପାଚାଷ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ମଣ୍ଡି ଓ ଆନୁସଙ୍ଗିକ ସୁବିଧା ନଥିବା ହେତୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥାନ୍ତି । ଅଞ୍ଚଳବାସୀ ଏନେଇ ବାରମ୍ବାର ବିଭିନ୍ନ ସ୍ତରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଶେଷରେ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ