ବୌଦ୍ଧ: ରଙ୍ଗ ବେରଙ୍ଗ ଫୁଲ ଗଛରେ ସଜେଇ ହୋଇଛି ପୁରା ପରିବେଶ । ବୃକ୍ଷ ରାଜିରେ ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନଟି ପ୍ରକୃତରେ ଏକ ଥାନା ପରିସରର । ବୌଦ୍ଧ ଜିଲ୍ଲା ସଦର ମହକୁମାର ଆଦର୍ଶ ଥାନାର କଳେବର ଏବେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି ।
ବ୍ରିଟିଶ ଶାସନାଧୀନ ବୌଦ୍ଧ ଗଡଜାତରେ ଶତାଧିକ ବର୍ଷ ପୂର୍ବରୁ ଏହା କୋତଓ୍ବାଲି ଭାବରେ ପ୍ରତିଷ୍ଠା ହୋଇଥିଲା । ପରିବର୍ତ୍ତିତ ସମୟରେ ଏହି ଥାନା ଅନେକ ଉତଥାନ ପତନ ଓ ରାଜନୈତିକ ସଂଘର୍ଷର ମୂକସାକ୍ଷୀ ରହିଛି ।
ବୌଦ୍ଧ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏହି ଛୋଟ ଥାନାର ରୂପରେ ଅନେକ ପରିବର୍ତ୍ତନ ଆସିଥିଲା । ଆଜି ପବିତ୍ର ଶିବରାତ୍ରୀ ଅବସରରେ ଥାନା ପରିସରରେ ପବନପୁତ୍ର ବୀର ହନୁମାନଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା ସହ ଏକ ବାଟିକା ଲୋକାର୍ପିତ ହୋଇଥିଲା ।
ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ ମଧ୍ୟ ଗୁରୁବାର ଥାନାରେ ପହଞ୍ଚି ହନୁମାନ ବାଟିକା ବୁଲି ଦେଖିବା ସହ ଏହାର ପ୍ରଶଂସା କରିଥିଲେ । ଥାନା ଅଧିକାରୀ ତପସ୍ବିନୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ହନୁମାନ ବାଟିକା ପ୍ରତିଷ୍ଠା ହୋଇ ଆଦର୍ଶ ଥାନାର ସଂଜ୍ଞାକୁ ପ୍ରତିପାଦିତ କରୁଥିବାରୁ ବୁଦ୍ଧିଜୀବୀ ଏହାକୁ ସ୍ବାଗତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ