ବୌଦ୍ଧ: ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନର ଭୂସ୍ବର୍ଗ । ନିଜ ବକ୍ଷରେ ତିନି ହଜାର ବର୍ଷର ଇତିହାସକୁ ସାଉଁଟି ରଖିଛି ଦ୍ବିତୀୟ କାଶୀ କ୍ଷେତ୍ର ଭାବେ ପରିଚିତ ଐତିହ୍ୟ, ସଂସ୍କୃତିର ସହର ବୌଦ୍ଧ । ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ପୁଣ୍ୟତୋୟା ମହାନଦୀର ଦକ୍ଷିଣ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଅତୀତ ଅତ୍ୟନ୍ତ ଗୌରବାମୟ । ଶୈବ, ଶାକ୍ତ, ବୈଷ୍ଣବ, ବୌଦ୍ଧ ଓ ମହିମା ଆଦି ପଞ୍ଚ ଧର୍ମର ମିଳନ ସ୍ଥାନକୁ ଓଡ଼ିଶାର ସାଂସ୍କୃତିକ ନାଭିକେନ୍ଦ୍ର ରୂପେ ବିବେଚନା କରାଯାଏ । ଜିଲ୍ଲାର କୋଣ ଅନୁକୋଣରେ ଭରି ରହିଛି ପ୍ରକୃତି ପର୍ଯ୍ୟଟନର ଅପରୂପ ସମ୍ଭାର ।
ବୌଦ୍ଧ ଅଞ୍ଚଳର ନାମକରଣରୁ ହିଁ ଏହି ଅଞ୍ଚଳରେ ବୌଦ୍ଧ କିର୍ତ୍ତୀରାଜୀର ସୂଚନା ମିଳେ । ବିଶେଷ ଭାବରେ ବୌଦ୍ଧ ସହରର ବୁଦ୍ଧଙ୍କ ଧ୍ୟାନମୁଦ୍ରା ପ୍ରତିମା ସହ ଶ୍ୟାମଶୁନ୍ଦରପୁର ଓ ପରଗଳପୁରର ବୌଦ୍ଧ କିର୍ତ୍ତିରାଜୀ ଜିଲ୍ଲାର ଅନ୍ୟତମ ପରିଚୟ । ଜିଲ୍ଲାରେ ଥିବା ଦୁଇ କେନ୍ଦ୍ର ପତ୍ନତତ୍ତ୍ବ ମନ୍ଦିର ଯଥା ଗନ୍ଧରାଡିର ହରିହର ମନ୍ଦିର ଓ ବୌଦ୍ଧର ତନ୍ତ୍ରାୟିତ ରାମେଶ୍ବର ମନ୍ଦିର ସମୂହ ଓଡିଶା ଇତିହାସ ଓ ମନ୍ଦିର ସ୍ଥାପତ୍ୟର ଅନନ୍ୟ ଉଦାହରଣ ।
ଏହା ସହିତ ଯୋଗୀନ୍ଦ୍ର ବିଳାଶ ରାଜପ୍ରାସାଦର ଜରାଜୀର୍ଣ୍ଣ ମୁଖଶାଳା, ବୁଟୁପାଲି, ନାରାୟଣନଗରର ବାନ୍ଧକଳା, ପୁରୁଣାକଟକର ମା’ ଭୈରବୀ, ବାଉଁଶୁଣୀର ଛତ୍ରଯାତ୍ରା, ମର୍ଜାକୁଦ, ଋଷିବନ୍ଧର ଚୂଡାଖାଇ ଯାତ୍ରା କଣ୍ଟାମାଳର କନ୍ଧେନବୁଢୀ ଯାତ୍ରା ପର୍ଯ୍ୟଟକଙ୍କୁ ସଦାକାଳରୁ ଆକର୍ଷିତ କରିଆସିଛି ।
ମହାନଦୀର ନୀଳ ଜଳରରାଶି ମଧ୍ୟରେ ସାତକୋଶିଆ ଗଣ୍ଡ ଠାରୁ ଆରମ୍ଭ କରି ମର୍ଜାକୁଦ ଦ୍ବୀପଗ୍ରାମ ପର୍ଯ୍ୟନ୍ତ ଯେଉଁ ଲୋଭନୀୟ ଦୃଶ୍ୟ ରହିଛି ତାହା ଜଣେ ପ୍ରକୃତିପ୍ରେମୀ ହିଁ ଉପଲବ୍ଧି କରିପାରିବ ।ଏଥି ସହ ଶ୍ରୀ ଜଗନ୍ନାଥଙ୍କ ପାତାଳୀ ଲୀଳା କ୍ଷେତ୍ର ନାୟକପଡା ଗୁମ୍ଫା, ପଦ୍ମତୋଳା ଅଭୟାରଣ୍ୟ, ଡମ୍ବରୁଗାଡ ଓ ଦେଢଶୁର ଭାଇବୋହୁ ପାହାଡ ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ।
ଏତେ ଗୁଡିଏ ପର୍ଯ୍ୟଟନର ସମ୍ଭାବନା ଥାଇ ମଧ୍ୟ ଦୁଃଖର ବିଷୟ ଯେ ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଜିଲ୍ଲାରେ ପର୍ଯ୍ୟଟନର ଭିତ୍ତିଭୂମି ରହିଥିଲେ ମଧ୍ୟ ସରକାରଙ୍କ ଉଦାସନିତା ଯୋଗୁଁ ନା ଅଛି ପର୍ଯ୍ୟଟନ କାର୍ଯ୍ୟାଳୟ ନା ପର୍ଯ୍ୟଟନ ଅଧୀକାରୀ ।
ଏ ଭଳି ସ୍ଥିତିରେ ଏହାର ବିକାଶ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ । ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଜିଲ୍ଲାର ପର୍ଯ୍ୟଟନକୁ କିଭଳି ବିକାଶ କରାଯାଇପାରିବ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ