ବୌଦ୍ଧ: ଲଗାଣବର୍ଷାରେ ବେହାଲ ବୌଦ୍ଧ । ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ବୌଦ୍ଧ ଓ ହରଭଙ୍ଗା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁରୁଣା ଜଗନ୍ନାଥ ରାସ୍ତା ଉପରେ ପ୍ରାୟ 10 ଫୁଟର ପାଣି ପ୍ରବାହିତ ହେବା ସହ ଚାଷ ଜମିରେ ବାଲିଚର ମାଡି ଯାଇଥିବା ଦେଖାଦେଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ମୋହନପୁର ନିକଟସ୍ଥ ବଲାଟ ନାଳ ଓ ମହାନଦୀ ସଂଗମ ସ୍ଥଳରେ ବନ୍ୟା ପାଣି ଆସି ଯୋଗାଯୋଗ ବିଛିନ୍ନ ହୋଇଛି । ଏଥିଯୋଗୁଁ ବୌଦ୍ଧରୁ ହରଭଙ୍ଗା ବ୍ଲକର ଶତାଧିକ ଗାଁକୁ ଏବେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକେ ଅତି ଜରୁରୀ କାମ ପଡିଲେ ମାଛଧରା ଡଙ୍ଗାରେ ବନ୍ୟା ପାଣି ପାରି ହେଉଥିବା ଦେଖାଯାଇଛି ।
ପୁଣି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବା ସହ ହରଭଙ୍ଗା ବ୍ଲକର ଧଳପୁର, ହରଭଙ୍ଗା, କୁଶଙ୍ଗ, ଶଙ୍କୁଳେଇ ପଞ୍ଚାୟତ ର ଶତାଧିକ ଗାଁ ବନ୍ୟା ଘେରରେ ରହିଛି । ସେହିପରି ମନମୁଣ୍ଡା ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ଶତାଧିକ ଗ୍ରାମବାସୀ ଏବେ ବନ୍ୟା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ