ବୌଦ୍ଧ: ପାଗ ପରିବର୍ତ୍ତନ ପାଇଁ ଚାଷୀ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି । କେତେବେଳେ ଅଦିନିଆ ବର୍ଷା ତ ପୁଣି କାଳବୈଶାଖୀ ଚାଷୀଙ୍କ ଫସଲ ପାଇଁ କଳା ହୋଇଛି । ପୁଣି ସାମୁଦ୍ରିକ ବାତ୍ୟା ଅସାନି ଯୋଗୁଁ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେଉଥିବା ବେଳେ କେତେକ ସ୍ଥାନରେ ପ୍ରଚଣ୍ଡ ଖରା ହେଉଛି । ଫଳରେ ଉଭୟ ପନିପରିବା ଚାଷ ଓ ରବି ଫସଲ ନଷ୍ଟ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷ କାର୍ଯ୍ୟ ଉପରେ ପଡୁଛି । ଚାଷୀ କୂଳର ପ୍ରବଳ କ୍ଷତି ହେଉଛି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେଲା ପାଣିପାଗରେ ପରିବର୍ତ୍ତନ ଘଟୁଥିବା କାରଣରୁ ଚାଷୀ ଚିନ୍ତାରେ ପଡିଛି । ଗତ କିଛି ଦିନ ମଧ୍ୟରେ ଝଡତୋଫାନ, ବର୍ଷା ଓ କୁଆ ପଥର ବୃଷ୍ଟିପାତ ଯୋଗୁଁ ଚାଷୀର ବ୍ୟାପକ ଫସଲ ନଷ୍ଚ ହୋଇଛି । ବର୍ତ୍ତମାନ ପୁଣି ଥରେ ଖରା ବର୍ଷାର ଦୋଛକିରେ ଚାଷୀର ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଗତକାଲି (ବୁଧବାର) ଠାରୁ ସାମୁଦ୍ରିକ ବାତ୍ୟା ଅସାନି ପ୍ରଭାବରେ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି ।
ଫଳରେ ପନିପରିବା ଚାଷୀ ଓ ବିଶେଷ ଭାବରେ ରବି ଫସଲ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଛନ୍ତି । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ସ୍ଥଳରେ ଅନେକ ସମୟରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଗ, ବିରି, କୋଳଥ, ହରଡ, ମକା ଭଳି ରବି ଫସଲ ଚାଷ ଅମଳ ହେବ । ସମୟରେ ବାତ୍ୟା ଆଶଙ୍କା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । ବାତ୍ୟା ବିପଦ ଟଳି ଥିଲେ ମଧ୍ୟ ବର୍ଷା ସେମାନଙ୍କ ପାଇଁ ବିପତ୍ତି ଆଣିବାର ଆଶଙ୍କା ରହିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ