ବୌଦ୍ଧ: ଜିଲ୍ଲାରେ କିଛି ଦିନ ପୂର୍ବରୁ ହୋଇଥିଲା ଦାନ ମାଝି ଘଟଣାର ପୂନରାବୃତ୍ତି । ପୁଅର ମୃତଦେହକୁ କାନ୍ଧରେ ବୋହି ପରିବାର ସହ ଚାଲିଚାଲି ଘରକୁ ଫେରିଥିଲା ବାପା । ଗତ ନଭେମ୍ବର 16ରେ ବୌଦ୍ଧ ଜିଲ୍ଲା ତିଲେଶ୍ବର ପଞ୍ଚାୟତ ମୁଷାଢ ଗାଁର ଜନୈକ ଗରିବ ପରିବାରର ମାତ୍ର ସାତ ବର୍ଷର ନାବାଳକ ପୁଅର ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଗଲା । ତେବେ ସେଠାରେ ମୃତକଙ୍କ ପରିବାରକୁ କୌଣସି ସରକାରୀ ସହାୟତା ନମିଳିବାରୁ ପୁଅର ମୃତଦେହକୁ କାନ୍ଧରେ ବୋହି ବାପା ନିଜ ପରିବାର ସହ ଗାଁକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହୋଇଥିଲେ ।
ବାଟରେ ଜଣେ ସହୃଦୟ ବ୍ୟକ୍ତି ଏହା ଦେଖି ନିଜ କାରରେ ନେଇ ଅସହାୟଙ୍କୁ ମୁଷାଢରେ ଛାଡିଥିଲେ । ତେବେ ଏହି ଘଟଣାରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଅସହାୟ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବିର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେପଟେ ସେହି ମୁଷାଢ ଗ୍ରାମର ଜନୈକ ଯୁବକଙ୍କ ମୃତ ଶରୀର ଚାରିଛକ ନିକଟସ୍ଥ ସିଙ୍ଗାଣିବେଡାରୁ ମିଳିଥିବା ବେଳେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇ ପୁରୁଣାକଟକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ