ବୌଦ୍ଧ: ଗୁରୁବାର ବୌଦ୍ଧ ଜିଲ୍ଲା ବାଣୀଭୂଷଣପୁର ପଞ୍ଚାୟତ କୁନ୍ଦୁଲୁକଟା ନିକଟସ୍ଥ ଗୁଣ୍ଡୁରିବିଡା ରାସ୍ତାକଡରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାର ଦୁଇ ଦିନ ପରେ ଯୁବକଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ସୂଚନା ଅନୁଯାୟୀ, ଗତ ଗୁରୁବାର ବାଣୀଭୂଷଣପୁର ପଞ୍ଚାୟତ କୁନ୍ଦୁଲୁକଟା ନିକଟସ୍ଥ ଗୁଣ୍ଡୁରିବିଡା ରାସ୍ତାକଡରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମ଼ତଦେହ ଉଦ୍ଧାର କରାଯାଇଥିଲା । ତେବେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଲଙ୍ଗ୍ଲେଜୁ ଗ୍ରାମର ଜଣେ ଯୁବକ ବୌଦ୍ଧ ଜିଲ୍ଲାର କୁନ୍ଦୁଲୁକଟା ଗାଁରେ ଗତ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ । ପତ୍ନୀ ଓ ପୁଅକୁ ଗାଁକୁ ଦେଖିବାକୁ ଆସିଥିବାବେଳେ ଗୁରୁବାର ରାତିରେ ତାଙ୍କ ମୃତଦେହ ସନ୍ଦେହ ଜନକ ଭାବରେ ଏକ ବିଦ୍ୟୁତ ଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା ।
ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସହ ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହାକୁ ମୃତକଙ୍କ ପରିବାର ହତ୍ୟାକାଣ୍ଡ ବୋଲି ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶୁକ୍ରବାରରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧରେ ଉଭୟ ପରିବାର ଥିଲେ ମଧ୍ୟ ବ୍ୟବଚ୍ଛେଦ ହୋଇପାରି ନଥିଲା । ସେପଟେ ବୌଦ୍ଧରେ ଲକଡାଉନ ଓ ସଟଡାଉନର ଦୋଛକିରେ ଫସି ରହିଛନ୍ତି ଏହି ପରିବାର । ଫଳରେ ମୃତକଙ୍କ ପରିବାର ଗତ ଦୁଇ ଦିନ ହେଲା ଭୋକ ଉପାସରେ ମୃତଦେହକୁ ଜଗି ରହିଛନ୍ତି । ପରିବାର ପକ୍ଷରୁ ହତ୍ୟାକାଣ୍ଡର ତଦନ୍ତ କରାଯିବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ