ବୌଦ୍ଧ : ପ୍ରବାଦ ପୁରୁଷ ଜନ୍ମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କୁ ସ୍ମରଣ କଲା ସାରା ଓଡିଶା । ପ୍ରବାଦ ପୁରୁଷ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ପଞ୍ଚାୟତିରାଜ ଦିବସକୁ ପାଳନ କରାଯାଇଥିଲା । ବିଜୁ ବାବୁଙ୍କ ସମୟରେ ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲା ଗଠନ ହୋଇ ହୋଇଥିଲା । ଝଡର ଇଗଲ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । 1994 ମସିହାରେ ବିଜୁ ପଟ୍ଟନାୟକ ବୌଦ୍ଧ ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ ।
ବିଜୁବାବୁଙ୍କ ପୁଣ୍ୟ ଜୟନ୍ତୀକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି । ଆଜି ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାସହ ପଞ୍ଚାୟତରାଜ ଦିବସ ଓ ଆନ୍ତର୍ଜାତିକ ମହିଳା ଦିବସକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ। ଏହାସହ କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ସମ୍ମାନିତ କରିଥିଲେ ।
ଜିଲ୍ଲାର ସମୁଦାୟ 69 ପଞ୍ଚାୟତ ମଧ୍ୟରୁ କସୁରବନ୍ଧ ପଞ୍ଚାୟତକୁ ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବରେ ଜିଲ୍ଲା ସ୍ତରରେ ତଥା ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି । ଏହାସହ କସୁରବନ୍ଧ ପଞ୍ଚାୟତକୁ ଜିଲ୍ଲା ସ୍ତରରେ ପାଞ୍ଚ ଲକ୍ଷ ଓ ରାଜ୍ୟ ସ୍ତରରେ ପାଞ୍ଚ ଲକ୍ଷ ଏଭଳି ଭାବରେ ଦଶ ଲକ୍ଷ ଟଙ୍କା ବିଭିନ୍ନ ଯୋଜନାରେ ଖର୍ଚ୍ଚ ପାଇଁ ଯୋଗାଇ ଦିଆଯାଇଛି । ଏହାଛଡା ଜିଲ୍ଲା ମୁଣ୍ଡାପଡା, ଖୁଣ୍ଟବନ୍ଧ, ପଲସାଗୋରା, ଘଣ୍ଟାପଡା, ବାଣୀଭୁଷଣପୁର, ବନ୍ଧାପଥର ଭଳି ପଞ୍ଚାୟତକୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ସେପଟେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ମାର୍ଚ୍ଚ 8ରେ ପାଳିତ ହେଉଥିବା ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ମହିଳାଙ୍କ ଭୂମିକା ଓ ସହଭାଗିତା ସମ୍ପର୍କରେ ବର୍ଣ୍ଣନା କରିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ବାସ୍ଥ୍ୟସେବା, ଶିକ୍ଷା, ମହିଳା ଗୋଷ୍ଠୀ, ମହିଳା ଶିଶୁ ବିକାଶ, ଜନପ୍ରତିନିଧି, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗର ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ