ବୌଦ୍ଧ: ଦିନ ଥିଲା ନଦୀନାଳ ଘେରା ଅଞ୍ଚଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିପାରୁନଥିଲେ କି ସରକାରଙ୍କ ଯୋଜନା ଠିକରେ ପହଞ୍ଚି ପାରୁନଥିଲା । ତେଣୁ ବଣ ଜଙ୍ଗଲ ଘେରା ସାତଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହୁଥିଲା । ତେବେ ଗତ ମାସରେ ଏହି ଅଞ୍ଚଳକୁ ସଂଯୋଗ ପାଇଁ ନିର୍ମାଣ ହୋଇଛି ବିଜୁସେତୁ ।
ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତ ଅନ୍ତର୍ଗତ ବାଘନଦୀ, କେରାଣ୍ଡିନାଳ ସମେତ ଆଉ ତିନି ଗୋଟି ପାହାଡି ଝରଣାର ଅପର ପାର୍ଶ୍ଵରେ ରହିଛି ସିଗାଡି, ମାଳତୀ ଗୋଛାପଡା, ବାତେପଙ୍ଗା,ବାଡେପଙ୍ଗା,ଚୁହୁରାକୋଣ,କୁଆକୁମୁଣ୍ଡା ଓ ମେନକାସାହି ଭଳି ସାତ ଗୋଟି ଆଦିବାସୀ ଅଧ୍ୟୁଷିତ ଗ୍ରାମ । ତେବେ ପାଞ୍ଚଟି ନଦୀ ନାଳ ପାରି ହୋଇ ସରକାରଙ୍କ କଲ୍ୟାଣକାରୀ ଏସବୁ ଅଞ୍ଚଳରେ ପହଞ୍ଚି ପାରୁ ନଥିବା ନେଇ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରିତ ମଧ୍ୟ ହୋଇଥିଲା । ଶେଷରେ ଦେଶ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଏହି ଅଞ୍ଚଳକୁ ଯୋଗାଯୋଗ ପାଇଁ ସରକାର ବାଘନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କରିଛନ୍ତି ।
ଗତମାସ ପଚିଶ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ସେତୁର ଉଦଘାଟନ କରିଥିଲେ । ଆଉ ବର୍ତ୍ତମାନ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶର ଗାଡି ତ୍ବରିତ ବେଗରେ ପହଞ୍ଚି ପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଏସବୁ ଅଞ୍ଚଳରେ ଆହୁରି କିଛି ପାହାଡି ଝରଣା ଉପରେ ସେତୁ ବାକି ଥିବାରୁ ସେଗୁଡିକ ନିର୍ମାଣ କରାଗଲେ ଏହି ବିକାଶ ଆହୁରି ଅଧିକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ