ବୌଦ୍ଧ: ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଚାଷ ପାଇଁ ପାଣି ଓ ସାରର ଅଭାବ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି । ସାରର ବ୍ୟାପକ କଳାବଜାର ହେଉଥିବାବେଳେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ମାସରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି ।
ଫଳରେ ଅଧିକାଂଶ ଚାଷୀ ବର୍ତ୍ତମାନ କେନାଲ ପାଣି ଉପରେ ନିର୍ଭରଶୀଳ ଥିବା ସମୟରେ କେନାଲ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସେଗୁଡିକ ପୋତି ହୋଇପଡିଛି । ଜଳସେଚନ ବିଭାଗର ଉଦାସୀନତାକୁ ଚାଷୀ ଦାୟୀ କରି ନିଜେ ନିଜେ ଶ୍ରମଦାନ ପୂର୍ବକ ବହୁ ସ୍ଥାନରେ କେନାଲ ସଫାକରି ନିଜ ଜମିରେ ପାଣି ମଡାଉଛନ୍ତି ।
ସେହିପରି ଏଆରସିଏସ ବିଭାଗର ଅପାରଗତାରୁ ଚାଷୀଙ୍କୁ ଉପଯୁକ୍ତ ସମୟରେ ସାର ମିଳିପାରି ନାହିଁ । ଫଳରେ ଚାଷୀ ଦିନ ଦିନ ଧରି ସମବାୟ ସମିତି କାର୍ଯ୍ୟାଳୟ ଆଗରେ ପଡି ରହୁଛି । ଏପରିକି ଅନେକ ସ୍ଥାନରେ ସାରର ବ୍ୟାପକ କଳାବଜାର ସତ୍ତ୍ୱେ ଚାଷୀ ବାଧ୍ୟ ହୋଇ ଚଢା ଦରରେ ସାର କିଣିବାକୁ ପଡୁଛି । ଚାଷ ଓ ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଜଳସେଚନ ବିଭାଗ ଓ ଏଆରସିଏସ ବିଭାଗର ଅବହେଳାରୁ ଚାଷୀମାନେ ଚାଷକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ