ବୌଦ୍ଧ: ମାଇଁ ଓ ଭଣଜା ମଧ୍ୟରେ ଅବୈଧ ସମ୍ପର୍କର କରୁଣ ପରିଣତି। ଲୋକଲଜ୍ୟା ଭୟରେ ପାଠ ପଢୁଥିବା ଭଣଜା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ସର୍ଗିପଡା ଗାଁରୁ ସୋମବାର ଏପରି ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି ।
ସୂଚନା ଅନୁସାରେ,କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତର ସର୍ଗିପଡା ଗାଁର ସିଟି ପାଠ ପଢୁଥିବା ଛାତ୍ର ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ସୋମବାର ସକାଳେ ପରିବାର ପକ୍ଷରୁ କଣ୍ଟାମାଳ ଥାନାରେ ଅଭିଯୋଗ ପରେ ଅପରାହ୍ନରେ ଆମ୍ବଗାଁ କୁରୁକୁପା ରାସ୍ତାର ଏକ ଝରଣା ନିକଟ ଗଛରେ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା ।
ତେବେ ଯୁବକର ନିଜ ମାଇଁଙ୍କ ସହ ଅବୈଧ ସମ୍ପର୍କ ଥିବାରୁ ଲୋକଲଜ୍ୟା ଭୟରେ ଆତ୍ମହତ୍ୟା କରିଥିବା କଣ୍ଟାମାଳ ଥାନା ଅଧିକାରୀ ଫୋନ ଯୋଗେ କହିଥିବାବେଳେ ମୃତକଙ୍କ ପରିବାର ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ଏହି ଘଟଣା ସହ ସମ୍ପୃକ୍ତ ମାଇଁଙ୍କୁ ପୋଲିସ ପକ୍ଷରୁ ପଚରାଉଚରାବେଳେ ସେ ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ ମଧ୍ୟ ଶାରୀରିକ ସମ୍ପର୍କକୁ ଅସ୍ବୀକାର କରିଥିବା କଣ୍ଟାମାଳ ପୋଲିସ କହିଛି। ତେବେ କଣ୍ଟାମାଳ ପୋଲିସ ଶବକୁ ଜବତ କରି ମନମୁଣ୍ଡାରେ ଶବ ବ୍ୟବଛେଦ କରି ଅଧିକ ତଦନ୍ତ ଆରମ୍ଭ କରିଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ