ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟ ପରିସରରେ ଥିବା ଲୁହା ଟ୍ରେଜେରୀରୁ ମିଳିଲା ପ୍ରାଚୀନ ଧାତୁ ସାମଗ୍ରୀ । ଫଳରେ ଜିଲ୍ଲା ସଂଗ୍ରହାଳୟରେ ପର୍ଯ୍ୟଟକଙ୍କ ଉତ୍ସୁକତା ଦେଖିବାକୁ ମିଳିଛି । ସେପଟେ ଜିଲ୍ଲା ମ୍ୟୁଜିୟମରେ ଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଛାନଭିନ ଆରମ୍ଭ କରାଯାଇଛି ।
ବୌଦ୍ଧ ଜିଲ୍ଲାର କଳା ସଂସ୍କୃତିର ମୁଖଶାଳା ଭାବରେ ପରିଚିତ ଜିଲ୍ଲା ସଂଗ୍ରହାଳୟରେ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପର୍ଯ୍ୟଟକ ଏଠାକୁ ଆସି ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ନିଆରା ଅନୁଭୂତି ସଂଗ୍ରହ କରୁଛନ୍ତି । ତେବେ ଆଜି ଏକ ଘଟଣା କ୍ରମରେ ସଂଗ୍ରହାଳୟ ପରିସରରେ ରଖାଯାଇଥିବା ଦୁଇଟି ଲୁହା ଟ୍ରେଜେରୀରୁ ମିଳିଛି ପ୍ରାଚୀନ ଧାତୁ ସାମଗ୍ରୀର ଅନେକ ଆଭୁଷଣ ଓ ଅନ୍ୟାନ୍ୟ ସାମଗ୍ରୀ ।
![not drag](https://etvbharatimages.akamaized.net/etvbharat/prod-images/od-boud-01-satya-meusium3-avb-od10020_29052022170426_2905f_1653824066_711.jpg)
![not drag](https://etvbharatimages.akamaized.net/etvbharat/prod-images/od-boud-01-satya-meusium3-avb-od10020_29052022170426_2905f_1653824066_906.jpg)
ଏହି ଧାତୁ ସାମଗ୍ରୀର ଅଧିକାଂଶ ରୂପାର ଆଭୁଷଣ ହୋଇଥିବାବେଳେ ଏଗୁଡିକ ସୁରକ୍ଷା ଦୃଷ୍ଟିରୁ କୌଣସି ଶୈବପୀଠର ହୋଇଥାଇ ପାରେ ବୋଲି ଗବେଷକ ମତ ପ୍ରକାଶ କରିଛନ୍ତି । ଆଜି ଏହାର ସୂଚନା ମିଳିବା ପରେ ବୌଦ୍ଧ ଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ଲୁହା ବାକ୍ସ ଦୁଇଟିକୁ ଖୋଲାଯଇ ଏଗୁଡିକର ତନ୍ନ ତନ୍ନ କରି ସଫାକରି ଏହାର ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଭଳି ଧାତୁ ସାମଗ୍ରୀ ମିଳିବା ଘଟଣା ଜିଲ୍ଲାରେ ପ୍ରଥମଥର ପାଇଁ ହୋଇ ଥିବାବେଳେ ଏଗୁଡିକ ତିନିରୁ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ