ବୌଦ୍ଧ: ଜିଲ୍ଲାର ପୁରୁଣାକଟକ ଥାନା ଅଞ୍ଚଳରେ ଦୁଇ ଦୁଇଟି ସାମାଜିକ ବାସନ୍ଦ କଥା ଏବେ ସାମ୍ନାକୁ ଆସିଛି । ଯେଉଁଠି କଙ୍ଗାରୁ କୋର୍ଟ ଭଳି ଗାଁରେ ନିଷ୍ପତ୍ତି କରାଯାଇ ଅଟକ ବା ବାସନ୍ଦ କରାଯାଏ। ଏହାର ଅଭିଯୋଗ ଥାନା କିମ୍ବା ଗଣମାଧ୍ୟମରେ ପ୍ରକାଶ କଲେ ଫଳ ଆହୁରି ଭୟାବହ ହେବ ବେଲି ଧମକ ମଧ୍ୟ ଦିଆଯାଏ।
ପ୍ରଥମ ଘଟଣାରେ ତିଲେଶ୍ବର ପଞ୍ଚାୟତ ଖଣ୍ଡହତା ଗାଁର କନ୍ଦର୍ପ ପ୍ରଧାନଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଘଟଣା । ଦ୍ବିତୀୟରେ ପୁରୁଣାକଟକ ପଞ୍ଚାୟତର ବଡବନ୍ଧ ଗାଁର ଯାଜ୍ଞସେନୀ ନାଏକଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । କନ୍ଦର୍ପଙ୍କ ପରିବାରକୁ ପୋଲିସ ଓ ଗାଁ ଲୋକ ବାସନ୍ଦ କରି ହଇରାଣ କରୁଥିବା ଅଭିଯୋଗ କରି, ତାଙ୍କର ପରିବାରବର୍ଗ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେପଟେ ବଡବନ୍ଧ ଗାଁରେ ଜାରି ହୋଇଛି ଫତୱା। ସାମାନ୍ୟ କାରଣକୁ ନେଇ ଯାଜ୍ଞସେନୀଙ୍କ ପରିବାରକୁ କରାଯାଇଛି ବାସନ୍ଦ । ଏହାସହ ଯେଉଁ ବ୍ୟକ୍ତି ତାଙ୍କ ସହ, ତାଙ୍କ ପରିବାର ସହ ଏପରିକି ଛୋଟ ପିଲାଙ୍କ ସହ ମଧ୍ୟ କଥା ହେବ ସେ 10 ହଜାର ଟଙ୍କା ତଣ୍ଡ ଗଣିବ ବୋଲି କୁହାଯାଇଛି। ତେବେ ଏହାକୁ ମାନି ନଥିବାରୁ ଆଉ ଏକ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି।
ଉଭୟ ଗାଁରେ ପହଞ୍ଚି ସାଧାରଣ ଲୋକ ଓ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ କ୍ୟାମେରା ଆଗରେ କେହି ପ୍ରତିକ୍ରିୟା ନରଖି ପରୋକ୍ଷରେ ଅସ୍ବୀକାର କରିଛନ୍ତି। ଏନେଇ ପୀଡିତଙ୍କ ପକ୍ଷରୁ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ