ବୌଦ୍ଧ: ଦୁଇ ଦିନରେ ଦୁଇ ସହକାରୀ ଜିଲ୍ଲାପାଳ ଚିକିତ୍ସାଳୟରେ ହେଉଛନ୍ତି ଚିକିତ୍ସିତ । ଗୁରୁବାର ସହକାରୀ ଜିଲ୍ଲାପାଳ ଦୁର୍ଘଟଣାରେ ଆହତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ସକାଳେ ଆଉ ଜଣେ ସହକାରୀ ଜିଲ୍ଲାପାଳ ମାତ୍ରାଧିକ ଗରମରୁ ଡିହାଇଡ୍ରେସନର ଶିକାର ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ଗୁରୁବାର ବୌଦ୍ଧ ଜିଲ୍ଲାର ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଅଫିସ କାମ ସାରି ଘର ସୋନପୁରକୁ ନିଜ କାର ଯୋଗେ ଫେରିବା ବେଳେ ଜହ୍ନାପଙ୍କ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଯାଇ ସେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସେହିପରି ଶୁକ୍ରବାର ଆଉଜଣେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ମହାପାତ୍ର ଅତ୍ୟଧିକ ଗରମରୁ ଡିହାଇଡ୍ରେସନର ଶିକାର ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକଥିବା ସୂଚନା ମିଳିଛି । ଦୁଇ ଦିନରେ ବୌଦ୍ଧ ଜିଲ୍ଲାର ଦୁଇ ସହକାରୀ ଜିଲ୍ଲାପାଳଙ୍କ ଏଭଳି ସ୍ବାସ୍ଥ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ