ଭଦ୍ରକ : ଅନଲାଇନ ଗେମ ଏବେ ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି । ଏହି ମୋବାଇଲ ଗେମ ଓ ଅନଲାଇନ ଗେମ ପାଇଁ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାର କରୁଛନ୍ତି ଆଜିର ଯୁବ ପିଢି। ଏହାର ଏକ ଉଦାହରଣ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡ଼ି ଆନନ୍ଦପୁର ଅନ୍ତର୍ଗତ ହାତିବାଡି ଗାଁର 19 ବର୍ଷୀୟ ଯୁବକ ଖଗେଶ୍ବର ନାୟକ। ସେ ମୋବାଇଲରେ ଅନଲାଇନ ଗେମ ଖେଳି ଘର ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଇଛନ୍ତି। ଶେଷରେ ଘରୁ କେଉଁ ଆଡେ ଚାଲିଯାଇଛନ୍ତି ।
ଖବର ଅନୁଯାୟୀ ଖଗେଶ୍ବର, ତାଙ୍କ ବାପାଙ୍କ ଆକାଉଣ୍ଟକୁ ଲିଙ୍କ କରି ଅନଲାଇନ ଗେମ ଖେଳିବା ବେଳେ ହଜାର ହଜାର ଟଙ୍କା କଟିଯାଇଥିଲା। ହେଲେ ସେ ଆଉ ଟଙ୍କା ଫେରସ୍ତ ପାଇନଥିଲେ। ଏହାପରେ ମାନସିକ ଭାରସାମ୍ୟ ହରାଇ ଶେଷରେ ସେ କେଉଁ ଆଡେ ଚାଲିଯାଇଥିବା ଜଣାପଡିଛି। ତେବେ ସେ ପାଠ ପଢିବା ଆଳରେ ଏକ ମୋବାଇଲ ପାଇଁ ଜିଦ କରିଥିଲେ । ତେଣୁ ବାପା ଖଗେଶ୍ବର ପାଇଁ ମୋବାଇଲ ଟିଏ କିଣି ଦେଇଥିଲେ। କିନ୍ତୁ ପୁଅ ମୋବାଇଲ ରେ ଫ୍ରି ଫାୟାର ଓ ଲୁଡୋ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ।
ଏଥିସହ ନିର୍ଦ୍ଦିଷ୍ଟ କିଛି ଅନଲାଇନ ଗେମ ଖେଳିବା ପାଇଁ, ଗେମର ସର୍ତ୍ତ ଅନୁଯାୟୀ ସେ କୌଶଳ କରି ବାପାଙ୍କ ଆକାଉଣ୍ଟରୁ ଟଙ୍କା ପୈଠ କରୁଥିବା ଘଟଣା ଜଣାପଡିଛି। ତେବେ ଶେଷରେ ବାପାଙ୍କ ଆକାଉଣ୍ଟରୁ ଟଙ୍କା ସରିଯିବା ପରେ ଆଉ ଟଙ୍କା ଫେରସ୍ତ ପାଇନଥିଲେ। ଶେଷରେ ଟଙ୍କା ଆଣିନପାରି ସେ ମୋବାଇଲକୁ ଘରେ ରଖି କେଉଁଆଡ଼େ ସେ ଚାଲିଯାଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ପଡୋଶୀ, ସାଙ୍ଗସାଥି ଓ ବନ୍ଧୁବାନ୍ଧବଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ହେଲେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ