ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବଢୁଛି ଜଳସ୍ତର। ଆଖୁଆପଦା ନିକଟ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଥିବାବେଳେ ଦିନ 11ଟା ସୁଦ୍ଧା 17.70 ମିଟରରେ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀର ଜଳ ସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡ କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ 72.06 ମିମି, ସୋମପାଟଣା 48.08, ଆନନ୍ଦପୁର 94.02 ମିମି, ଠାକୁରମୁଣ୍ଡା 71.0, କେନ୍ଦୁଝର 52.08 ମିମି ଓ ଭଦ୍ରକର ଆଖୁଆପଦା ଠାରେ 156 ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ଫଳରେ ଏହି ବର୍ଷା ଜଳ ବର୍ତ୍ତମାନ ନଦୀରେ ପ୍ରବାହିତ ହେଉଥିବାରୁ ନଦୀର ଜଳସ୍ତର ବଢିବାରେ ଲାଗିଛି । ବୈତରଣୀର ସ୍ଥିତି କିପରି ରହିଛି ଏହାକୁ ଅନୁଧ୍ୟାନ କରିବା ପାଇଁ ଆଖୁଆପଦା ଯାଇଥିଲେ ଭଦ୍ରକ ଜିଲ୍ଲାପାଳ, ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ, ଭଣ୍ଡାରିପୋଖରୀ ବିଡ଼ିଓ, ତହସିଲଦାର ପ୍ରମୁଖ ପ୍ରଶାସନିକ ଅଧିକାରୀ। ସେଠାରେ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ।
ଏହି ଜଳସ୍ତର ବିପଦ ସଙ୍କେତ ଟପିପାରେ ବୋଲି ଅନୁମାନ କରାଯାଉଛି । ଯଦି ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେବ, ତାହେଲେ ମୁଖ୍ୟତଃ କଣ୍ଟି ଘାଇ ଏସକେପରେ ବନ୍ୟା ଜଳ ପ୍ରବେଶ କରିପାରେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏଥିପାଇଁ ପ୍ରଶାସନ ସତର୍କ ଥିବା କହିଛନ୍ତି । ଏନେଇ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା କହିଛନ୍ତି ଜିଲ୍ଲାପାଳ।
ବନ୍ୟା ପରିସ୍ଥିତିକୁ ନଜରରେ ରଖି ଭଣ୍ଡାରିପୋଖରୀ ଓ ଧାମନଗର ଏହି ଦୁଇଟି ବ୍ଲକ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ଓ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଆଖୁଆପଦା ଠାରେ ବୈତରଣୀର ସ୍ଥିତି ଦେଖିବା ପାଇଁ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମଧ୍ୟ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ