ଭଦ୍ରକ: ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଆଦିବାସୀ ସାହି ଗ୍ରାମରେ।
ଖବର ଅନୁଯାୟୀ ବଗମରା ଆଦିବାସୀ ସାହି ଗ୍ରାମର କିଛି ଲୋକ ମୃତ ଯୁବକ କଟିଆକୁ ନିସ୍ତୁକ ମାଡ ମାରିଥିଲେ। ସେଠାରେ ଯୁବକ ଜଣଙ୍କର ମୃତ୍ୟୁ ହେବାପରେ ତାଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ଅଭିଯୁକ୍ତମାନେ ପଳାଇ ଆସିଥିଲେ ବୋଲି ମୃତକଙ୍କ ସ୍ତ୍ରୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ। ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ସେପଟେ ଏହି ହତ୍ୟାକାଣ୍ଡ ନେଇ ଏକ ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲା ହେବାରେ ଲାଗିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ