ଭଦ୍ରକ: ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗର ମାସେ ପରେ ନିଲମ୍ବିତ ହେଲେ ଦୁଇ ଶିକ୍ଷକ । ଅନ୍ୟପଟେ ମାମଲା ରୁଜୁ କରି ସୀମିତ ରହିଛି ପୋଲିସ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହ ଉପ୍ରା ବିଦ୍ୟାଳୟରୁ।
ଶିକ୍ଷା ବିଭାଗର ସିଆରସିସିଙ୍କ ପକ୍ଷରୁ ଥାନାରେ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଥିଲେ ହେଁ ଏଯାବତ୍ କାହାରିକୁ ଗିରଫ୍ କରାଯାଇନଥିବାରୁ ପୋଲିସର ପାରିବାରପଣିଆ ଉପରେ ପ୍ରଶ୍ନ ଉଠୁଛି । ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଲିଡ଼ିହ ଉପ୍ରା ବିଦ୍ୟାଳୟରେ । ଏହି ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଧର ସେଠୀ ଓ ସହକାରୀ ଶିକ୍ଷକ କୈଳାସ ବେହେରାଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାରେ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଣୟ ନାୟକ ନିଲମ୍ବନ କରିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ
ସୂଚନା ମୁତାବକ, ଗତ ଅକ୍ଟାବର 19 ତାରିଖରେ ସଂଧ୍ୟାରେ ମଧ୍ୟାହ୍ନ ଭୋଜନ ଚାଉଳରୁ 8 ବସ୍ତା ସହକାରୀ ଶିକ୍ଷକ କୈଳାଶ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦିପ ଦାସ ଏକ ଅଟୋ ଯୋଗେ ନେଉଥିବା ସମୟରେ ଗାଁର ଯୁବକମାନେ ଅଟୋକୁ ପିଛା କରିଥିଲେ । ସଭାପତି ପ୍ରଦିପ ଦାସଙ୍କ ଘରେ ଚାଉଳ ବସ୍ତାକୁ ରଖାଯିବା ପରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ପରଦିନ ଅର୍ଥାତ୍ 20 ତାରିଖରେ ହଡ଼ପ ଘଟଣାରେ ପ୍ରଧାନ ଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଖବର ପାଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ନାୟକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ମାତ୍ର ପରବର୍ତ୍ତୀ ସମୟରେ ବିଭାଗୀୟ ପଦାଧିକାରୀ କୌଣସି ଚାପରେ ଚୋରିରେ ସଂପୃକ୍ତ ଶିକ୍ଷକମାନଙ୍କୁ ଖସେଇ ଦେବାଲାଗି ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଜିଲ୍ଲା ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ ଆଦେଶ ଦିଆଯାଇଥିବା ଜଣାପଡିଛି । ମାତ୍ର ପୋଲିସର ଗିରଫଦାରୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ସିଆରରସିସିସ ଅଶୋକ କୁମାର ଦାସ ଚୋରି ଘଟଣା ସମ୍ପର୍କରେ ଦୁଇ ଶିକ୍ଷକଙ୍କ ବିରୋଧରେ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ । ଏନେଇ ଚାନ୍ଦବାଲି ପୋଲିସ ଦଫା 409 ଓ 34ରେ ଏକ ମାମଲା ରୁଜୁ କରିଛି । ମାତ୍ର ଗିରଫ୍ କରିବାରେ ବିଳମ୍ବ ହେଉଥିବା ନେଇ ପୋଲିସର କାର୍ଯ୍ୟଧାରାରେ ପ୍ରଶ୍ନବାଚୀ ଉଠୁଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, ଭଦ୍ରକ