ଭଦ୍ରକ: ଭଦ୍ରକ ସହର ମଧ୍ୟରେ ଥିବା ଟ୍ରାଫିକ ପୋଷ୍ଟରେ ବାନ୍ଧି ପିଲା ଚୋର ସନ୍ଦେହରେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଉକ୍ତ ଯୁବକକୁ ଉଦ୍ଧାର କରିବା ସହ ଜଣେ ଛୋଟ ପିଲାଟିକୁ ମଧ୍ୟ ଯୁବକଙ୍କ କବଳରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଯୁବକ ଜଣକ ଗୋଟିଏ ଛୋଟ ପିଲା ସହ କିଛି କଥା ହେଉଥିଲା । ଏମିତିକି ପିଲାଟିର ଆଧାର କାର୍ଡ ମାଗିବା ସହ ସାଇକେଲରେ ବସିବା ପାଇଁ ଯୁବକ ଜଣକ ଛୋଟ ପିଲାଟିକୁ କହିଥିଲେ ବୋଲି ସୂଚନା ମିଳିଛି । ଏହି ସମୟରେ କିଛି ସ୍ଥାନୀୟ ଲୋକ ଯୁବକଙ୍କ ଉପରେ ସନ୍ଦେହ କରିଥିଲେ । ଯୁବକଙ୍କର ଏଭଳି ଆଚରଣକୁ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ପରେ ଲୋକମାନେ ମିଶି ବନ୍ତ ଛକ ସ୍ଥିତ ଟ୍ରାଫିକ ପୋଷ୍ଟରେ ଯୁବକକୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାବାଳକକୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଯୁବକ ଓ ନାବାଳକକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଚଳାଇଛି ।
ଇଟିଭି ଭାରତ, ଭଦ୍ରକ