ଭଦ୍ରକ: ଆଖୁଆପଦା ଠାରେ ବୈତରଣୀ ନଦୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀରେ ବନ୍ୟାଜଳ । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଛି । ତେବେ ବନ୍ୟାଜଳ ନଦୀର ବିପଦ ସଙ୍କେତ ଟପି ସର୍ବାଧିକ 18.98 ମିଟର ପର୍ଯ୍ୟନ୍ତ ଯାଇଥିଲା ଏବଂ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ବୋଲି ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଆଜି ଜଳସ୍ତର ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଜଳସ୍ତର ବୃଦ୍ଧି ଯୋଗୁଁ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଭଦ୍ରକ ଜିଲାପାଳ ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବନ୍ୟା ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ଏହିପରି ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ କହିଛନ୍ତି ଜିଲ୍ଲାପାଳ ।
ତେବେ ନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଖୁବଶୀଘ୍ର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି କମ୍ ହାେଇପାରିବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ