ଭଦ୍ରକ: ଜଳିଗଲେ ଚତୁର୍ଦ୍ଧା ମୂର୍ତ୍ତି । ସୁଦର୍ଶନଙ୍କ ସହ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତି ଜଳିଯାଇଛି । ଠାକୁରଙ୍କ ଗହଣା ଓ ଆସବାବପତ୍ର ମଧ୍ୟ ଜଳିଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସାହୁ ସାହିରେ ।
ଗାଁରେ ଶ୍ରୀ ଜଗନ୍ନାଥଜୀଉ ଗୋଷ୍ଠୀ କେନ୍ଦ୍ର ରହିଛି । ଏହି ପୀଠରେ ଭାଗବତ ପାଠ କରାଯାଏ । ଏହାସହ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି । ପ୍ରତ୍ୟେକ ଦିନ ମନ୍ଦିର ପରିସରରେ ପୂଜାପାଠ ସହ ଭଜନକୀର୍ତ୍ତନ ହୋଇଥାଏ । ଭାଗବତ ପାଠର କିଛି ସମୟ ପରେ ଗାଁରେ ହୁରି ପଡିଥିଲା ଯେ ମନ୍ଦିରରେ ନିଆଁ ଲାଗିଯାଇଛି । ପରେ ଲୋକେ ଯାଇ ନିଆଁ ଲିଭାଇଥିଲେ । ସେତେବେଳକୁ ମୂର୍ତ୍ତି ଜଳୁଥିଲା । ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ । ଠାକୁରଙ୍କ ଗହଣା ଓ ଆସବାବପତ୍ର ଜଳିଯାଇଛି । ହେଲେ ମାଣ୍ଡିଆ ପରିସରରେ ଥିବା ଭାଗବତ ଗାଦୀ ସୁରକ୍ଷିତ ଅଛି । ଏହି ଘଟଣା ପରେ ଗାଁ ଲୋକେ ଅଜଣା ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ