ଭଦ୍ରକ: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତରେ ଯୋଗାଣ ନିରୀକ୍ଷିକା ଓ ମୁକୁନ୍ଦପୁର ସରପଞ୍ଚଙ୍କ ମଧ୍ୟରେ ତୀବ୍ର ବିବାଦ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାର୍ଯ୍ୟାଳୟରେ ଏହି ବିବାଦ ଦେଖାଯାଇଛି । ପରେ ଏହି ବିବାଦ ଉଗ୍ରରୂପ ନେବାସହ ଉଭୟଙ୍କ ମଧ୍ୟରେ କଟୁ ଆକ୍ଷେପ ପ୍ରତ୍ୟାକ୍ଷେପ ହୋଇଥିଲା।
ଯାହାର ଭିଡିଓ ଏବେ ସାମ୍ନାକୁ ଆସିବା ସହ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ ରାସନକାର୍ଡକୁ କେନ୍ଦ୍ରକରି ଯୋଗାଣ ନିରୀକ୍ଷିକା ହରିପ୍ରିୟା ସାହୁ ଓ ମୁକୁନ୍ଦପୁର ସରପଞ୍ଚ କିର୍ତନ ରାଉତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ଏହି ଝଗଡା ଏତେ ବଢିଯାଇଥିଲା ଯେ, ପରସ୍ପର କଥାରେ ବ୍ଲକ କାର୍ଯ୍ୟାଳୟ ଉଠୁଥିଲା ଆଉ ପଡୁଥିଲା। ପାଖରେ କେହି ନଥିଲେ ହୁଏତ ହାତାହାତି ହେବାକୁ ପରସ୍ପର ପଛେଇ ନଥାଆନ୍ତେ, ବୋଲି ଭିଡିଓରେ ସ୍ପଷ୍ଟ ବାରି ହୋଇଛି। ତେବେ ବର୍ତ୍ତମାନ ଜଣେ ମହିଳା କର୍ମଚାରୀ ଓ ଜଣେ ପୁରୁଷ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏଭଳି ଉଗ୍ର ବିବାଦ ଆଗକୁ କେଉଁ ରୂପ ନେବ ଦେଖିବା ବାକି ରହିଲା।
ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ