ଭଦ୍ରକ: ବିଳମ୍ବିତ ରାତିରେ ବସ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଛପୁଲିଆ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ହେବା ପରେ ବସର ଆଗ ଭାଗ ପୁରା ଭାଙ୍ଗି ଯାଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସର ନାମ ସୁଭଦ୍ରାକାଳି ହୋଇଥିବା ବେଳେ ସେ ଭୁବନେଶ୍ବରରୁ କୋଲକାତା ଯାଉଥିଲା ।
ସୂଚନା ଅନୁଯାୟୀ, ଗତକାଲି(ଶନିବାର) ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଛପୁଲିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ପୂର୍ବରୁ ଏକ ଟ୍ରକ ଛିଡା ହୋଇଥିଲା । ତେବେ କୌଣସି କାରଣରୁ ଭାରସାମ୍ୟ ହରାଇ ଭୁବନେଶ୍ବରରୁ ଯାତ୍ରୀମାନଙ୍କୁ ନେଇ କଲିକତା ଅଭିମୁଖେ ଯାଉଥିବା ସୁଭଦ୍ରାକାଳି ନାମକ ଏହି ଘରୋଇ ଯାତ୍ରୀ ବସଟି ଟ୍ରକର ପଛପଟକୁ ଧକ୍କା ଦେଇଥିଲା । ଫଳରେ ବସର ବାମ ପଟେ ବସିଥିବା ଥିବା 6 ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ଜଣାପଡିଛି। ତେବେ ସୌଭାଗ୍ୟ ବଶତଃ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ବସର ବେଗ ଅଧିକ ରହିଥିବା ହେତୁ ଧକ୍କା ହେବା ପରେ ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖାଦେଇଛି ।
ଏହା ମଧ୍ୟ ପଢନ୍ତୁ: World Autism Awareness Day: ଜାଣନ୍ତୁ ଅଟିଜିମ୍ ରୋଗର କାରଣ, ଲକ୍ଷଣ ଓ ନିରାକରଣ
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏହି ଦୁର୍ଘଟଣା ଘଟିବା ପରେ ବସର ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସକୁ ଜବତ କରିବା ସହ ଡ୍ରାଇଭରକୁ ଖୋଜୁଛି ପୋଲିସ । ତେବେ ବସରେ ରହିଥିବା ଅନ୍ୟ ଯାତ୍ରୀମାନେ ନିଜ ନିଜ ସୁବିଧାରେ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି ।
ଇଟିଭି ଭାରତ, ଭଦ୍ରକ