ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ବର ଗୋପୀନାଥପୁର ପଞ୍ଚାୟତ ପରିସରରେ ଜଣେ ସୂଚନା ଅଧିକାର କର୍ମୀ ଓ ଜିଆରଏସଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ହୋହଲ୍ଲା, ଗାଳିଗୁଲଜ ଓ ମାରପିଟ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ ପଞ୍ଚାୟତର ମନରେଗା, ଆବାସ ଯୋଜନା, ଭତ୍ତା ଓ ମୋ ପୋଖରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ପ୍ରଦୀପ କୁମାର କର ତଥ୍ୟ ହାସଲ କରିଥିଲେ । ଏ ଘଟଣାରେ ଜିଆରଏସଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଜିଆରଏସ ପ୍ରଦୀପଙ୍କୁ କାର୍ଯ୍ୟାଳୟକୁ ଡକାଇଥିଲେ । ପରେ ତାଙ୍କ ଭାଇ ଓ ସହଯୋଗୀଙ୍କ ଦ୍ବାରା ପ୍ରଦୀପ ଓ ତାଙ୍କ ନାବାଳକ ପୁଅକୁ ମାଡ ମାରିଥିବା ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଅନ୍ୟପଟେ ଜିଆରଏସ ପୁରୁଷୋତ୍ତମ ବାରିକ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପ୍ରଦୀପ କୁମାର କର ତାଙ୍କୁ ଗାଳିଗୁଲଜ କରି ମାଡ ମାରିବା ସହିତ ମାରିଦେବାକୁ ଧମକ ଦେଇଥିବା ନେଇ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ପଞ୍ଚାୟତ ରାଜନୀତି ବେଶ ସରଗରମ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ