ଭଦ୍ରକ: ଗତ ନଭେମ୍ବର 30 ତାରିଖ ବିଳମ୍ବିତ ରାତିରେ ପ୍ରତିଶୋଧ ପରାୟଣ ପ୍ରେମିକର ମରଣାନ୍ତକ ଆକ୍ରମଣ ଘଟଣାରେ ସୋମବାର ଗିରଫ ହୋଇଛି ଅଭିଯୁକ୍ତ । ଏକ ତରଫା ପ୍ରେମରେ ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକା ଓ ତାଙ୍କ ବାପାଙ୍କୁ ପ୍ରେମିକ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ବନ୍ତ ପୋଲିସ।
ସୂଚନା ଅନୁଯାୟୀ ବନ୍ତ ଥାନା ଅନ୍ତର୍ଗତ ଡାଳିମ୍ବଗଡିଆ ଛକ ନିକଟରେ ଏହି ଅଭିଯୁକ୍ତ ପ୍ରେମିକ ରାଜାରାମ ନାୟକ ଧାରୁଆ ଭୁଜାଲି ଦ୍ବାରା ବାପା ଓ ଝିଅକୁ ଆକ୍ରମଣ କରିଥିଲା। ପରେ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ବାପା ଓ ଝିଅ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ବନ୍ତ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା। ପୋଲିସ ଅଭିଯୁକ୍ତ ରାଜରାମ ନାୟକଙ୍କୁ ଧରିବା ପାଇଁ ଚାରିଆଡେ ଜାଲ ବିଛାଇଥିଲା। ଶେଷରେ ବନ୍ତ ପୋଲିସ ଚରମ୍ପା ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ କେସ ନମ୍ବର 159ରେ ଏକ କେସ ରୁଜୁ ହୋଇଛି। ତେଣେ ଅଭିଯୁକ୍ତର ଘର ପୁରୁଣା ବଜାର ଥାନା ବାଲିପାଟଣା ଅଞ୍ଚଳରେ ବୋଲି ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ