ଭଦ୍ରକ: ଉତ୍ତର ପ୍ରଦେଶ ଲଖିମପୁର ହିଂସାକାଣ୍ଡକୁ ନେଇ ବଢୁଛି ବିବାଦ । ଲଖିମପୁର ଅଞ୍ଚଳରେ କଳା କୃଷି ଆଇନକୁ ରଦ୍ଦ କରିବା ଦାବିରେ କୃଷକମାନେ ଚଳାଇଥିବା ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଓ ବିଜେପିର ଗୁଣ୍ଡା ବାହିନୀ କାର ଚଢାଇ 8 ଜଣ ଚାଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଯାହାକୁ ନେଇ ରାଷ୍ଟ୍ରବ୍ୟାପି ପ୍ରକାଶ ପାଇଛି ଅସନ୍ତୋଷ। ବ୍ରିଟିଶର ଦମନଲୀଳା ପରି ଏହି ନରହତ୍ୟା ସ୍ବାଧୀନ ଭାରତବାସୀଙ୍କୁ ପୁରା ଦୋହଲାଇ ଦେଇଛି।
ଅପରାଧୀମାନଙ୍କୁ ହତ୍ୟା ମକଦ୍ଦମାରେ ଗିରଫ କରିବା, ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟ ନାଥ ସରକାରକୁ ବରଖାସ୍ତ କରିବା, ଚାଷୀ ବିରୋଧୀ 3 ଟି କଳା କୃଷି ଆଇନକୁ ରଦ୍ଦ କରିବା ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରି କଚେରୀ ବଜାର ଠାରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମୋଦି ସରକାରର ଏହି କଳା ଆଇନ୍ ବିରୁଦ୍ଧରେ ଭଦ୍ରକ ଜିଲ୍ଲାରେ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ବାନ ଦେଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ