ଭଦ୍ରକ: ଜିଲ୍ଲାରେ ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ମଙ୍ଗଳବାର ଭଦ୍ରକ ଗସ୍ତ କରିଥିଲେ ପୋଲିସ ଡିଜି ଅଭୟ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଏପରିକି ଯେଉଁ ପୋଲିସ ଅଧିକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ସେମାନଙ୍କୁ ଉତ୍ସାହିତ ଓ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ସାଇବର କ୍ରାଇମ ସହିତ ମାନବାଧିକାର ମାମଲା ଗୁଡିକ ଉପରେ ବିଶେଷ ଭାବେ ସମୀକ୍ଷା କରିବା ସହ ଏହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ତେବେ କୋଭିଡ ସମୟରେ ଭଦ୍ରକ ଜିଲ୍ଲା ପୋଲିସ ବେଶ ଭଲ ଭାବେ କାର୍ଯ୍ୟ ସମ୍ପାଦନ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ ।
କୋଭିଡ ସମୟରେ 45 ଜଣ ଅଧିକାରୀ ଓ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଆଜିର ଏହି ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଆଇଜି ଓ ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ