ଭଦ୍ରକ: ପଦାରେ ପଡିଲା ଓପିଏସସିର ଦାୟିତ୍ବହୀନତା । ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଖାତା ମୂଲ୍ୟାୟନରେ ହୋଇଛି ଗୁରୁତ୍ବପୂର୍ଣ୍ଣ ତ୍ରୁଟି । ଫଳରେ ଓଏସ ପାଇବାରୁ ବଞ୍ଚିତ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର । ତାଙ୍କ ଖାତା ମୂଲ୍ୟାୟନରେ ତ୍ରୁଟି ଘଟଣା ପଦାକୁ ଆସିବା ପରେ ଏବେ ଓପିଏସସିର ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।
ସୂଚନାନୁସାରେ, ଭଦ୍ରକ ଜିଲ୍ଲାର ରଜତ ଫେବୃଆରୀ 2016 ମସିହାରେ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଦେଇଥିଲେ। ଯାହାର ଫଳ 2017ରେ ବାହାରିଥିଲା । ଯେଉଁଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ନିଜ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ରଜତ ଓପିଏସସି କର୍ତ୍ତୃପକ୍ଷଙ୍କୁ ନିଜ ଖାତା ମୂଲ୍ୟାୟନ ସମ୍ପର୍କରେ ନକଲପତ୍ର ମାଗିଥିଲେ । ମାତ୍ର ଦୁର୍ଭାଗ୍ୟଜନକ ବିଷୟ ହେଉଛି ଉତ୍ତର ଖାତା ଦେବା ପାଇଁ ଓପିଏସସି କର୍ତ୍ତୃପକ୍ଷଙ୍କୁ ଲାଗିଥିଲା 13 ମାସର ସମୟ । ଏହାପରେ ତାଙ୍କୁ ମିଳିଥିଲା ନିଜ ଉତ୍ତର ଖାତାର ନକଲ ।
ଯାହାକୁ ଦେଖିବା ପରେ ଉଡିଯାଇଥିଲା ତାଙ୍କର ହୋସ୍ । ଉତ୍ତର ଖାତାର ନକଲପତ୍ର ଦେଖିବା ପରେ ତାଙ୍କ ଆଖିକୁ ବିଶ୍ବାସ ହୋଇନଥିଲା । ଇଂରାଜୀ ପ୍ରବନ୍ଧରେ ମୋଟ 200 ନମ୍ବରରୁ ରଜତ ପାଇଥିଲେ 117 ନମ୍ବର । ହେଲେ ତାଙ୍କ 117 ନମ୍ବରକୁ କଟାଯାଇ ଲେଖାଯାଇଥିଲା 50 ନମ୍ବର । ତେବେ ତାଙ୍କ ପରୀକ୍ଷା ଖାତାରେ ଏଭଳି ଜାଲଆତି କିଏ ଓ କାହିଁକି କରିଛି ସେ ନେଇ ରଜତ ପିଏମ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାପରେ ସେ ଓଡିଶା ଜେନେରାଲ ଆଡିମିନିଷ୍ଟ୍ରେସନ ଡିପାର୍ଟମେଣ୍ଟ ଓପିଏସସି କର୍ତ୍ତୃପକ୍ଷଙ୍କୁ କୈଫତ୍ ମାଗିଛନ୍ତି । ତା'ପରେ ରାଜ୍ୟପାଳ ଉକ୍ତ ପରୀକ୍ଷାର୍ଥୀଙ୍କୁ ରାଜଭବନରେ ଭେଟିଥିଲେ । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ 5 ତାରିଖରେ ଓପିଏସସି ଚେୟାରମ୍ୟାନକୁ ଭେଟିବାକୁ ତାଙ୍କ ପାଖକୁ ଏକ ଚିଠି ଆସିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ