ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ହାତରେ ଆଉ ଗୋଟିଏ ଦିନ । ନଭେମ୍ବର ୧ ତାରିଖ ସନ୍ଧ୍ୟାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏହାପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସ୍ବାଧୀନ ତଥା ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଧାମନଗରରେ ବିଜେଡି ଟଙ୍କା ବାଣ୍ଟୁଥିବାର ସାଂଘାତିକ ଅଭିଯୋଗ ଆଣିଲେ ବିରୋଧୀ (BJD distributing cash for Dhamnagar by poll)। ବିରୋଧୀଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ଶାସକ ଦଳ ବିଜେଡି । ସେପଟେ ରାଜନୀତି ସମୀକ୍ଷକ କହିଲେ ଜିତିବାକୁ ବିଜେଡି ପାଖରେ ଆଉ କିଛି ଉପାୟ ନାହିଁ ।
ଭୋଟ ହାତେଇବାକୁ କସରତ
ଉଠୁଛି ପଡୁଛି ଧାମନଗର । ଭୋଟରଙ୍କୁ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଛକାପଞ୍ଝା ରାଜନୀତି ଆରମ୍ଭ ହୋଇଛି । ଏହାରି ଭିତରେ ବିଜେଡି ନାଁରେ ଟଙ୍କା ବାଣ୍ଟିବାର ସାଂଘାତିକ ଅଭିଯୋଗ ଆସିଛି । ନିର୍ବାଚନୀ ସଭାରେ କୋଟିଏ ଟଙ୍କାର ପୁରସ୍କାର ଘୋଷଣା ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଗାଡିରେ ବୁଲି ଟଙ୍କା ବାଣ୍ଟିବା ଘଟଣା ସାମ୍ନାକୁ ଆସିଥିଲା । ଏବେ ଧାମନଗର ଦୋବଲ ପଞ୍ଚାୟତର ଇଟୁଆ ଗାଁରୁ ପୁଣି ଆସିଛି ଟଙ୍କାର ବଣ୍ଟନର ଅଭିଯୋଗ । ବିଜେଡି କର୍ମୀମାନେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗରେ ବିଜେଡି କର୍ମୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ ।
ଅନୁରୂପ ଭାବରେ ଧାମନଗର ବ୍ଲକକରଦା ପଞ୍ଚାୟତ ଅଲ୍ଲୀ ନଗରରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ହୋଇଥିଲା ଏହାକୁ ନେଇ ୨ SHG ମହିଳାଙ୍କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଏଭଳି ଘଟଣାକୁ ନେଇ ପଞ୍ଚାୟତରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟଙ୍କା ଜବତ କରିବା ସହ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲା । ଏହି ସମୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧିଙ୍କୁ ଫେରାର କରାଇଥିବା ଅଭିଯୋଗରେ ଏସଡିପିଓଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ ଉତ୍ତେଜିତ ଲୋକ ।
ଶାସକଙ୍କୁ ବିରୋଧୀଙ୍କ ବାଣ
ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିଜେଡି ଟଙ୍କା ବାଣ୍ଟିବା କିଛି ନୂଆ କଥା ନୁହେଁ ବୋଲି କହିଛି କଂଗ୍ରେସ । ସେପଟେ ପରାଜୟ ଭୟରେ ବିଜେଡି ଟଙ୍କା ବାଣ୍ଟୁଛି ବୋଲି କହିଛି ବିଜେପି । କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ବାଳ କହିଛନ୍ତି, "ବିଜେପି ଓ ବିଜେଡି ଗୋଟିଏ କଏନ୍ର ଦୁଇଟି ପାର୍ଶ୍ବ । ଏମାନେ ସବୁବେଳେ ଅଲଗା ରହିଥାଆନ୍ତି, କିନ୍ତୁ ନିର୍ବାଚନ ଆସିଲେ ଏମାନେ ଯୋଡ଼ି ହୋଇଯିବା ଦେଖିବାକୁ ମିଳେ । କଂଗ୍ରେସକୁ ହିଁ ବିକଳ୍ପ ଭାବରେ ଦେଖୁଛନ୍ତି ଭୋଟର । ବିଜେଡି ଟଙ୍କା ବାଣ୍ଟିବା କିଛି ନୂଆ କଥା ନୁହେଁ, ଗତ ୨୩ ବର୍ଷ ହେଲା ବିଜେଡି ଏଭଳି ଭାବରେ ନିର୍ବାଚନ ଜିତି ଆସୁଛି ।"
ସେପଟେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ମଧ୍ୟ ଟଙ୍କା ବଣ୍ଟନକୁ କେନ୍ଦ୍ର କରି ଶାସକ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଧାମନଗରରେ କଳେବଳେ କୌଶଳେ ଟଙ୍କା ବଣ୍ଟାଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ନେଇ ପ୍ରତିକ୍ରିୟା ଦେଉନାହାନ୍ତି । ତାଙ୍କ ସରପଞ୍ଚ ଓ ସ୍ବୟଂ ସହାୟକ ମହିଳାଙ୍କ ମାଧ୍ୟମରେ ଟଙ୍କା ବଣ୍ଟା ଯାଉଛି । ପରାଜୟ ଭୟରେ ବିଜେଡି ବିକଳରେ ଟଙ୍କା ବାଣ୍ଟୁଛି । ରାଜ୍ୟବାସୀଙ୍କୁ ବିଜେଡି ସରକାର ଅଯଥା ବିଭ୍ରାନ୍ତି ନକରନ୍ତୁ ।"
ଜବାବ ରଖିଲା ବିଜେଡି
ବିରୋଧୀଙ୍କ ତମାମ୍ ଅଭିଯୋଗର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, "ନିର୍ବାଚନରେ ହାର ନିଶ୍ଚିତ ଜାଣି ସାରିବା ପରେ ଲୋକଙ୍କ ପକେଟରୁ ଟଙ୍କା ଛଡାଉଛି ବିଜେପି । ଘରକୁ ଯାଉଥିବା ଲୋକଙ୍କୁ ଅଟକାଇ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି ବିଜେପି । ସାଧରଣ ଲୋକଙ୍କୁ ହଇରାଣ କରୁଛି ବିଜେପି । ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛି । ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବିରୋଧୀ । ଧାମନଗରରେ ସର୍ବେକ୍ଷଣ ବୃଦ୍ଧି କରିବାକୁ ଆମେ ଦାବି କରିଛୁ ।"
ବିଜେପିର ପଲ୍ଲା ଭାରି
ଧାମନଗରରେ ବିଜେପି ବିଜୟ ଚିତ୍ର ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ । ରୀଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ଧାମନଗରରେ ସଂଖାଲଘୁ ଭୋଟ 3 ଭାଗ ହୋଇଗଲାଣି । ବର୍ତ୍ତମାନର ପରିସ୍ଥିତି କହୁଛି ବିଜେପି ଆଗରେ ରହିଛି । ଜନସମର୍ଥନ ବିଜେପି ଆଡକୁ ରହିଛି । ବିଜେପି ପାଖକୁ ଅନୁକମ୍ପା ଭୋଟ ଯିବ । ବିଜେଡିର ଭୋଟ ଚହଲାଇ ଦେବେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ । ବିଜେଡିକୁ ଜିତିବା ପାଇଁ ହେଲେ ନବୀନ ନିଜେ ଯାଇ ପ୍ରଚାର କରିବା କଥା । କିନ୍ତୁ ସେମିତି କିଛି ହୋଇନାହିଁ । ଏବେ ଟଙ୍କା ବାଣ୍ଟିବା ଛଡ଼ା ବିଜେଡି ପାଖରେ ଆଉ କିଛି ଉପାୟ ନାହିଁ ।"
ରାଜନୈତିକ ଅଙ୍କକଷା ଭିତରେ ନିର୍ବାଚନ ତାରିଖ ପାଖେଇ ଆସିଛି । ଜନତା ଦନାର୍ଦ୍ଦନ କାହାକୁ ଭୋଟ ଦେବେ, କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ କାହାକୁ ମୋହର ମାରିବେ ଜନତା ତାହା ସମୟ କହିବ । ତେବେ ବିଜେଡି ଟଙ୍କା ବାଣ୍ଟିବା ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ସମୟ କହିବ ।
ଇଟିଭି ଭାରତ, ଭୁବନେଶ୍ୱର