ଭଦ୍ରକ: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସ ଥିଲା। ଅନ୍ତିମ ଦିନରେ ଭଦ୍ରକ ପୌରପାଳିକାରେ ୭୨ ଜଣ କାଉନସିଲର ଓ ୩ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ନିର୍ବାଚନ ପାଇଁ ମୋଟ ୧୪୫ ଜଣ କାଉନସିଲର ପ୍ରାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସେହିଭଳି ଦଳୀୟ ପ୍ରାର୍ଥିଙ୍କ ସହିତ ସ୍ବାଧୀନ ପ୍ରାର୍ଥିଙ୍କୁ ମିଶାଇ ଭଦ୍ରକ ପୌରପାଳିକା ଅଧକ୍ଷ ଆସନ ପାଇଁ ୭ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଶାସକ ବିଜେଡି,ବିଜେପି ଏବଂ କଂଗ୍ରେସ ଦଳ ସମର୍ଥିତ ପ୍ରାର୍ଥିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ନବାଗତ ସମିତା ମିଶ୍ର । ଭଦ୍ରକ ଚରମ୍ପା ଅଞ୍ଚଳର ପ୍ରତିଷ୍ଠିତ ସମାଜସେବୀ ପୁର୍ଣଚନ୍ଦ୍ର ମିଶ୍ରଙ୍କ ପୁତ୍ରବଧୁ ତଥା ରୋଟାରିଆନ ଶିଶିର ମିଶ୍ରଙ୍କ ପତ୍ନୀ ସମିତା ସକ୍ରିୟ ରାଜନୀତିରେ ସମ୍ପୂର୍ଣ ନବାଗତ ହୋଇଥିଲେ ମଧ୍ୟ ଏକ ରାଜନୈତିକ ପରିବାରର ବୋହୁ ଭାବେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।
ସେହିପରି ବିଜେପି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ଗୀତାଞ୍ଜଳି ପଢିଆରୀ ପୂର୍ବରୁ ଗୀତାଞ୍ଜଳି ଭଦ୍ରକ ପୌରପାଳିକାର ଉପାଧ୍ୟକ୍ଷ ଥିଲେ। ଅପରପକ୍ଷେ କଂଗ୍ରେସ ଦଳ ଶେଷ ମୁହୂର୍ତ୍ତରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବିଜୁ ସ୍ମୁତି କମିଟିର ଅଧକ୍ଷା ତଥା ପୂର୍ବତନ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦିକା ଆଇନଜୀବି ଅମିତା ବାଳା ଆଚାର୍ଯ୍ୟଙ୍କୁ ଦଳୀୟ ପ୍ରାର୍ଥି ମନୋନୀତ କରିଛି । ଅମିତା ଶାସକ ବିଜେଡିର ପ୍ରମୁଖ ଟିକେଟ ଦାବିଦାର ରହିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ନିରାଶ କରିଥିଲା ।
ଶେଷରେ ସେ ଦଳ ଛାଡି କଂଗ୍ରେସରୁ ଚେୟାରମେନ ପ୍ରାର୍ଥି ହୋଇଛନ୍ତି । ତେଣୁ ଏହି ସବୁ ପ୍ରାର୍ଥୀ ଓ ପ୍ରାର୍ଥୀନି ମାନେ ଆଜି ଭିନ୍ନ ଭିନ୍ନ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସେମାନେ ନିଜ ନିଜ ବିଜୟକୁ ନେଇ ବେଶ ଆଶାବାଦୀ ଥିବା କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ