ଭଦ୍ରକ: ଟ୍ରାକରେ ଟ୍ରାଏଲ ରନ କଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାଏଲ ରନ୍ ସମୟରେ ଭଦ୍ରକ ରେଳ ଷ୍ଟେସନର ଦୁଇ ନମ୍ବର ପ୍ଲାଟ ଫର୍ମରେ ପହଞ୍ଚି ଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ସେଠାରେ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ଦୁଇ ନମ୍ବର ପ୍ଲାଟ ଫର୍ମରେ ଦୁଇ ମିନିଟ ରହିବା ପରେ ଏହା ପୁନଶ୍ଚ ତାର ଗନ୍ତବ୍ୟ ମାର୍ଗ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଓଡିଶାରେ ପ୍ରଥମ ଥର ପାଇଁ ଚଳାଚଳ କରିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାକରେ ଟ୍ରାଏଲ ରନ କରୁଥିବା ଦୃଶ୍ୟର ଝଲକ ଦେଖିବା ପାଇଁ ଭଦ୍ରକ ରେଳ ଷ୍ଟେସନରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଆଜିର ଏହି ଟ୍ରେନର ଟ୍ରାକରେ ଟ୍ରାଏଲ ରନ କରିବା ସମୟରେ ରେଳ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଚେନ୍ନାଇ ସ୍ଥିତ ବନ୍ଦେ ଭାରତ ଫ୍ୟାକ୍ଟ୍ରି (ଆଇସିଏଫ୍)ରୁ ଚଳିତ ମାସ 26 ତାରିଖ ଦିନ ବାହାରି ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାହାକି ପ୍ରଥମେ ସନ୍ତ୍ରାଗଚ୍ଛି ଷ୍ଟେସନରେ ରହିବା ପରେ ଏହା ପରବର୍ତ୍ତୀ ସମୟରେ ହାୱଡ଼ା ଷ୍ଟେସନକୁ ଯାଇଥିଲା ବୋଲି କହିଛନ୍ତି ସହକାରୀ ଡିଆରଏମ ଗିରିଶ କୁମାର। ଆଜି ଏହା ପ୍ରଥମ ଥର ପାଇଁ ହାୱଡ଼ାରୁ ପୁରୀ ଅଭିମୁଖେ ଥିବା ଟ୍ରାକରେ ଟ୍ରାଏଲ ରନ କରୁଛି ଏବଂ ପରବର୍ତ୍ତୀ ସମୟରେ ଏହାର ଆହୁରି ଟ୍ରାଏଲ ରନ କରିଯିବା ଯୋଜନା ଥିବା ମଧ୍ଯ ସୂଚନା ଦେଇଛନ୍ତି ସହକାରୀ ଡିଆରଏମ।
ତେବେ ମେକ ଇନ ଇଣ୍ଡିଆ ଯୋଜନା ଅନୁଯାୟୀ, ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ଏହି ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ବେଗ ଘଣ୍ଟା ପ୍ରତି 180 କିଲୋ ମିଟର ରହିଥିବା ବେଳେ ଆଜି ଏହାର ପ୍ରଥମ ଥର ପାଇଁ ହାୱଡ଼ାରୁ ପୁରୀ ଅଭିମୁଖେ ଥିବା ଟ୍ରାକରେ ଟ୍ରାଏଲ ରନ ସମୟରେ ଟ୍ରେନ ର ବେଗ ଘଣ୍ଟା ପ୍ରତି 130 କିଲୋ ମିଟର ରହିଥିବା କହିଛନ୍ତି ଗିରିଶ କୁମାର । ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଯାହା ଦ୍ଵାରା ଯାତ୍ରୀମାନଙ୍କ ଯାତ୍ରା ଆରାମ ଦାୟକ ହେବ। ଅପର ପକ୍ଷରେ ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ତେବେ ସମସ୍ତ ପର୍ଯ୍ୟାୟ ଟ୍ରାଏଲ ରନ ସାରିବା ପରେ ଚଳାଚଳର ଶୁଭ ଆରମ୍ଭ ହେଲେ ସମୟ ସାରଣୀ ବାବଦରେ ବିସ୍ତୃତ ତଥ୍ଯ ରେଳବାଇ ପକ୍ଷରୁ ୱେବ୍ସାଇଟ୍ରେ ପ୍ରକାଶ କରାଯିବ।
ଇଟିଭି ଭାରତ, ଭଦ୍ରକ