ଭଦ୍ରକ: ଜିଲ୍ଲାରେ ଅସୁରକ୍ଷିତ ପଶୁ ସମ୍ପଦ। ସର୍ପାଘାତରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଶହଶହ ପଶୁ। କାରଣ ଜିଲ୍ଲାରେ ଉପଲବ୍ଧ ନାହିଁ ପୀଡିତ ପଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ। ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଦେଖନ୍ତୁ ଇଟିଭି ଭାରତର ଏକ ସ୍ବତନ୍ତ୍ର ରିର୍ପୋଟ।
2012 ଗଣନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ବିଭିନ୍ନ ପ୍ରଜାତିର 5ଲକ୍ଷ 17ହାଜର 949ଟି ପଶୁସମ୍ପଦ ଅଛନ୍ତି। ଏମାନଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲାର 7 ଟି ବ୍ଲକ ରେ 13 ଟି ପଶୁ ଚିକିତ୍ସା କେନ୍ଦ୍ର ରହିଛି। ହେଲେ ଆଶ୍ଚର୍ଯ୍ୟର କଥା, ଜିଲ୍ଲାର ଏହିସବୁ ଚିକିତ୍ସା କେନ୍ଦ୍ର ମାନଙ୍କରେ ସର୍ପାଘାତ କୁ ପ୍ରତିହତ କରିବା ପାଇଁ ଇଞ୍ଜେକ୍ସନ ଉପଲବ୍ଧ ନାହିଁ।
ସୂଚନା ଅନୁଯାୟୀ ଶଙ୍କର ଜାତୀୟ ପଶୁ 27879, ଦେଶୀ ଜାତୀୟ ପଶୁ 485138 ଏବଂ ମଇଁଷି 4932 ଟି ପଶୁ ସମ୍ପଦ 2012 ଗଣନା ଅନୁଯାୟୀ ଅଛନ୍ତି। ଏଥିସହ ଗାଈ ଫାର୍ମ 123 ଟି, ଛେଲି ଫାର୍ମ 86 ଟି ଏବଂ କୁକୁଡା ଫାର୍ମ 488 ଟି ରହିଛି ହେଲେ ସର୍ପ ଦଂଶନର ପ୍ରତିକାର ଉପଲବ୍ଧ ନାହିଁ।
ଏଥିସହ ଯଦି କୌଣସି ପଶୁକୁ ସାପ ଦଂଶନ କରୁଛି, ପଶୁ ଚିକିତ୍ସା କେନ୍ଦ୍ରକୁ ନେଲେ ସେମାନେ ହାତ ଟେକି ଦେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ବୋଲି କହିବା ସହ ଏନେଇ ବିଭାଗୀୟ ଅଧିକାରୀ ତଥା ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହୋଇଛି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ସର୍ପାଘାତରେ ପୀଡିତ ପଶୁଙ୍କ ଚିକିତ୍ସାର ବିଭିନ୍ନ ଲକ୍ଷଣ ଦେଖି ଚିକିତ୍ସା କରାଯାଉଥିବା କହିଥିଲେ। ଏହାସହ ସର୍ପାଘତ ପାଇଁ କୌଣସି ଔଷଧ ଉପଲବ୍ଧ ନାହିଁ ବୋଲି ସଫେଇ ଦେଇଥିଲେ। ଭଦ୍ରକରେ ପଶୁ ସମ୍ବଳର ଏପରି ଅସୁରକ୍ଷିତକୁ ଦେଖି ମାନବ ସଭ୍ୟତା ଏବଂ ପ୍ରାଣୀ ସମ୍ପଦ ମଧ୍ୟରେ ଥିବା ପରିପୂରକ ସେବାର ଯଥୋଚିତ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ?
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ