ଭଦ୍ରକ: ଧୋକା ଖାଇଗଲା ଆଖି, ଫେସବୁକରେ ଯୁବତୀ ଭାବି ପ୍ରେମ ସମ୍ପର୍କ ଗଢି ଉଠିଥିବା ବ୍ୟକ୍ତି ପୁରୁଷ ବୋଲି ହୋଇଗଲା ପର୍ଦ୍ଦାଫାସ । ଫେସବୁକରେ ମାତ୍ର 15 ଦିନର କଥାବାର୍ତ୍ତା ପରେ ନିବିଡତା ଏତେ ବଢି ଯାଇଥିଲା ଯେ, ସମ୍ପୃକ୍ତ ମହିଳା ରୂପି ପୁରୁଷଙ୍କୁ ବିବାହ କରିବାକୁ ମନସ୍ତ କରିନେଇଥିଲେ ଯୁବକ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କସିଆ ଅଞ୍ଚଳରେ ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ 24 ପ୍ରଗଣା ଅଞ୍ଚଳର ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡା ଜମ୍ବୁ ରାମନଗର ଅଞ୍ଚଳର ଜଣେ ଯୁବତୀ ମେଘନା ମଣ୍ଡଳଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ । 15 ଦିନର ଚାଟିଂ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ, ଉଭୟ ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଆଲୋକ ମଧ୍ୟ ମେଘନାଙ୍କୁ ଦେଖା କରିବା ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ ।
ଚଣ୍ଡିଖୋଲ ନିକଟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ବିବାହ ପାଇଁ ଫୈସଲା କରିଦେଇଥିଲେ । ଏହାପରେ ଆଲୋକ ବାସୁଦେବପୁରର ତାଙ୍କ ମାମୁଁଘରକୁ ପ୍ରେମିକା ମେଘନାକୁ ଆଣିଥିଲେ । ମାମୁଁଘରେ ପହଞ୍ଚିବା ପରେ ସେମାନଙ୍କୁ ଗ୍ରାମବାସୀ ଦେଖିବା ପାଇଁ ଆସିଥିଲେ । ଏହିସମୟରେ ଗ୍ରାମର ଜଣେ ମହିଳା ମେଘନାଙ୍କୁ ଦେଖି ସେ ଝିଅ ନୁହଁ ପୁଅ ବୋଲି କହିଥିଲେ ।
ମହିଳାଙ୍କ ଦାବି କ୍ରମେ ଉପସ୍ଥିତ ଲୋକେ ଯୁବତୀଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ । ଗାଁ ଲୋକେ ଯୁବତୀଙ୍କ ଚୁଟି କାଟି ପୁରୁଷଙ୍କ ଭଳି ପୋଷାକ ପିନ୍ଧାଇବା ପରେ ଅସଲ ଚେହେରା ପଦାକୁ ଆସିଥିଲେ । ଯୁବତୀ ଜଣକ ମେଘନା ନୁହଁନ୍ତି ମେଘନାଦ ମଣ୍ଡଳ ବୋଲି ସ୍ପଷ୍ଟ ହୋଇଛି । ଘଟଣା ଚର୍ଚ୍ଚା ହେବା ପରେ ପୋଲିସ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ