ଭଦ୍ରକ: ସର୍ପାଘାତ ପରେ ସାପ ଧରି ଡାକ୍ତରଖାନାରେ ହାଜର ହେଲେ ଯୁବକ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୌଧୁରୀ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଶେଖ ସାହାଜନ ଅଲ୍ଲୀ ନାମକ ଜଣେ ଯୁବକ ଘର ସଫା କରୁଥିଲେ । ସଫା କରିବା ସ୍ଥାନରେ ପୂର୍ବରୁ ଏକ ବିଷଧର ତମ୍ପ ସାପ ଲୁଚି ରହିଥିବା ସେ ଜାଣି ପାରି ନଥିଲେ । ଏହି ସମୟରେ ସାପଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା । ସାପ କାମୁଡ଼ିବା ନେଇ ସେ ଜାଣିବା ପରେ ନିଜ ପରିବାର ଲୋକଙ୍କୁ ଜଣାଇ କାମୁଡ଼ିଥିବା ସାପକୁ ସାଙ୍ଗରେ ଧରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।
ସେଠାରେ ଡାକ୍ତର ତାଙ୍କର ରକ୍ତ ନମୂନା ପରୀକ୍ଷା କରିବା ସହିତ ସର୍ପ ଦଂଶନ ନେଇ ଆବଶ୍ୟକୀୟ ଇଞ୍ଜେକ୍ସନ ଦେଇଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ସମୟରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଅଧିକ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ସାପ ସହ ରୋଗୀକୁ ଦେଖି ଉଭୟ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଘରେ କାମୁଡିଲା ସାପ, ହସ୍ପିଟାଲରେ ସାପକୁ ଧରି ପହଞ୍ଚିଲେ ଯୁବକ
ପ୍ରକାଶ ଥାଉକି, ସମ୍ପ୍ରତି ବର୍ଷା ଦିନ ଯୋଗୁଁ ଭଦ୍ରକ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପୌର ପାଳିକା ଅଞ୍ଚଳରେ ସର୍ପ ଦଂଶନ ଘଟଣା ଦେଖିବାକୁ ମିଳୁଛି । ବର୍ଷା ଦିନ ହୋଇଥିବାରୁ ଅନେକ ପ୍ରକାରର ସାପ ବାହାରିବେ । ସେମାନଙ୍କଠାରୁ ସତର୍କତା ଅବଲମ୍ବନ ଜରୁରୀ । ତେଣୁ ଏଭଳି ସାପକୁ ନଧରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ପ୍ରଶିକ୍ଷିତ ଲୋକଙ୍କୁ ଡାକି କିମ୍ବା ସ୍ନେକ୍ ହେଲ୍ପ ଲାଇନର ସଦସ୍ୟଙ୍କ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି । ସାପ ଦଂଶନ କଲେ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇ ନେବା ଜରୁରୀ ।
ଇଟିଭି ଭାରତ, ଭଦ୍ରକ