ଭଦ୍ରକ: ବିଲ ମଝିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଯୁବକଙ୍କ ସ୍ତ୍ରୀ ସମେତ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଅଭିଯୁକ୍ତଙ୍କ ଗିରଫ ଦାବି କଲେ ଯୁବକଙ୍କ ପରିବାର । ନ୍ୟାୟ ପ୍ରଦାନ ଦାବିରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।
ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ଓଲଙ୍ଗ ନିକଟ ଏକ ବିଲ ମଝିରୁ ଚଳିତ ମାସ 18 ତାରିଖ ଦିନ ତିହିଡି ଥାନା ମଙ୍ଗଳପୁର ପଞ୍ଚାୟତର କେଶବ ମାଇତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କେଶବ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଠାରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ ବୋଲି ଜଣାପଡିଛି । ତେଣୁ ଶ୍ୱଶୁର ଘର ଲୋକେ ତାଙ୍କୁ ହତ୍ଯା କରି ବିଲ ମଝିରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି କେଶବଙ୍କ ମାଆ, ଭାଇଙ୍କ ସମେତ ପରିବାର ଲୋକେ ।
ଏନେଇ ପୋଲିସ ବିହୀତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ଯାହୃତ ହୋଇଛି । ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ