ଭଦ୍ରକ: ସ୍ଵାଧୀନ ଭାରତ ପାଇଁ ବହୁ ତ୍ୟାଗ ଆଉ ବଳିଦାନ ଦେଇଛନ୍ତି ସ୍ଵାଧୀନତା ସଂଗ୍ରାମୀ । ଇଂରେଜଙ୍କ ସହ ଲଢେଇ ଆଉ ଆତ୍ମ ବଳିଦାନର ଫଳ ଏବେ ପାଇଛନ୍ତି ଭାରତବାସୀ । ସେତେବେଳର ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ମଧ୍ୟ ବହୁ ସଂଗ୍ରାମୀ ଅଂଶଗ୍ରହଣ କରିଥିଲେ । ସେତେବେଳେ ସେମାନେ ନିଜ ଜୀବନକୁ ପାଣି ଛଡାଇ ଆତ୍ମ ବଳିଦାନ ପାଇଁ ମଧ୍ୟ ପ୍ରସ୍ତୁତି ଥିଲେ । ନିଜେ ଥିଲେ ସଙ୍ଗଠକ ଆଉ ସଙ୍ଗଠନରେ ସଂଗ୍ରାମୀଙ୍କୁ ସାମିଲ କରାଉଥିଲେ । ଏହି ସଂଗ୍ରାମୀଙ୍କୁ ଏବେ ମିଳିବ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ରାମହରୀ ଗୋସ୍ଵାମୀ, ଗୌରୀଶ୍ୟାମ ଗୋସ୍ଵାମୀ ଓ ବ୍ରଜକିଶୋର ରାଉତ । ଆମେ ଭେଟିଥିଲୁ ଏହି ତିନି ଜଣ ସଂଗ୍ରାମୀ ଓ ସେମାନଙ୍କ ପରିବାରକୁ । ସେହି ସ୍ଵାଧୀନତା ସଂଗ୍ରାମ ବେଳର କାହାଣୀ କହିଛନ୍ତି ଏହି ସ୍ଵାଧୀନତା ସଂଗ୍ରାମୀ । ଧାମନଗର ବ୍ଲକ ସୂର୍ଯ୍ୟପୁର ଗାଁର ଗୌରୀଶ୍ୟାମ ଗୋସ୍ଵାମୀ । ବୟସ 91 । କିନ୍ତୁ ଏବେ ବି ମନେପକାଉଛନ୍ତି ସେଦିନର କଥାକୁ । 1942 ମସିହାରେ ଥାନା ପୋଡିରେ ସାମିଲ ହୋଇ ଜେଲ ଯିବା । ମହାତ୍ମାଗାନ୍ଧୀଙ୍କୁ ଭେଟିବା ସହ କେମିତି ସଂଗ୍ରାମ ପାଇଁ ଉଦବୁଦ୍ଧ ହୋଇଥିଲେ ।
ଏହାପରେ ଭେଟିଥିଲୁ ରାମହରୀ ଗୋସ୍ଵାମୀ ପରିବାରକୁ । ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଘରେ ନଥିଲେ ସେ କିନ୍ତୁ ତାଙ୍କ ନାତି ବଖାଣିଥିଲେ ରାମହରୀ ଗୋସ୍ଵାମୀଙ୍କ ନିକଟରୁ ଶୁଣିଥିବା କଥା । କେମିତି ଜେଲ ଯାଇଥିଲେ ଆଉ କଣ ଥିଲା ସଂଗ୍ରାମର କାହାଣୀ । ସେହିପରି ଏହି ସ୍ବାଧୀନତାର ଅନ୍ୟ ଜଣେ ସଂଗ୍ରାମୀ ବ୍ରଜକିଶୋର ରାଉତ। ଘର ଧାମନଗର ବ୍ଲକ ବୟାଙ୍ଗଡ଼ିହି କମାରବନ୍ଧ ଗାଁରେ । ବୟସ ହେଲାଣି 93 । ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ସ୍ଵାଧୀନତା ଦିବସ ଅବସରରେ ମଧ୍ୟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେ ମଧ୍ୟ 1942 ମସିହାରେ ଜେଲ ଦଣ୍ଡ ଭୋଗିଛନ୍ତି । ଏବେ ମନକଥା କହିଛନ୍ତି କେମିତି ସଂଗ୍ରାମ ବେଳେ କଷ୍ଟ ସହି ସଙ୍ଗଠନ କରି ଲୋକଙ୍କୁ ଇଂରେଜଙ୍କ ବିରୋଧରେ ପ୍ରୋତ୍ସାହିତ କରୁଥିଲେ । କେତେବେଳେ ଡଙ୍ଗା ଭାଙ୍ଗୁଥିଲେ ତ କେତେବେଳେ ଗଞ୍ଜେଇ ଓ ମଦ ଦୋକାନ ପୋଡି ଦେଉଥିଲେ । ପରେ ଭଣ୍ଡାରୀପୋଖରୀ ଥାନା ପୋଡିରେ ସାମିଲ ହୋଇ ପରବର୍ତ୍ତୀ ସମୟରେ ଜେଲ ଯାଇଥିଲେ । କିନ୍ତୁ ଏବେ ମନରେ ଟିକେ ଅବଶୋଷ ରହିଛି । ସେ ଦିନର ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନର ଭାରତ ଏବେ ଟିକେ ବଦଳି ଯାଇଛି । ସେଦିନ ଗାନ୍ଧୀ ଦେଖିଥିବା ଆହୁରି ଅନେକ ସ୍ଵପ୍ନ ଏବେ ବି ସାକାର ହୋଇନି । ତଥାପି ଏମାନେ ସମସ୍ତେ ନିଜ ସମ୍ମାନକୁ ନେଇ ଖୁସି ଅଛନ୍ତି ।
ସେପେଟ ଜିଲ୍ଲାର 3 ସଂଗ୍ରାମୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ବେଳେ ଏବେ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । ହେଲେ କୋରୋନା ପାଇଁ ଏହି ସଂଗ୍ରାମୀମାନେ ଯିବେ ନାହିଁ ରାଷ୍ଟ୍ରପତି ଭବନ । ଜିଲ୍ଲାର ଜିଲ୍ଲାପାଳ ଖୋଦ୍ ସେମାନଙ୍କ ଘରକୁ ଯାଇ ପ୍ରଦାନ କରିବେ ରାଷ୍ଟ୍ରପତିଙ୍କ ପୁରସ୍କାର ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ