ଭଦ୍ରକ: କୋଇଲା ଚୋରାଚାଲାଣ ବେଳେ କେନାଲ ହୁଡାରେ ଫସିଲା ଗାଡି । ଖବର ପାଇବା ପରେ ମଧ୍ୟ ବିଳମ୍ବରେ ପହଞ୍ଚିଲା ପୋଲିସ । ବିଳମ୍ବରେ ପଞ୍ଚିବା କାରଣରୁ ଚୋରା କୋଇଲା ବୋଝେଇ ଗାଡିକୁ ପୋଲିସ ଖସାଇ ଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ନୂଆନନ୍ଦ ପଞ୍ଚାୟରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଚୋରା କୋଇଲା ବୋଝେଇ ଗାଡି ନୂଆନନ୍ଦ ଜେନାସାହି ଗାଁରୁ ବାହାରି ସାବରଙ୍ଗ ଅଭିମୁଖେ ଯାଉଥିବା ବେଳେ କେନାଲ ହୁଡାରେ ଫସି ଯାଇଥିଲା ।
କୋଇଲା ବୋଝେଇ ଗାଡି ସହ କିଛି ଲୋକ ମଧ୍ୟ ଫସି ଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଫଶି ରହିଥିବା ଲୋକେ କଳେ ବଳେ କୌଶଳେ ଗାଡିକୁ ଉଠାଇ ଅନ୍ୟତ୍ର ନେଉଥିବାର ପ୍ରୟାସ କରୁଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଉକ୍ତ ଚୋରା କୋଇଲା ବୋଝେଇ ଗାଡିକୁ ଧରିବା ଲାଗି ଗ୍ରାମର କେତେକ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ପକ୍ଷରୁ ଦୀର୍ଘ ସମୟ ଧରି କୌଣସି ତତ୍ପରତା ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି ।
ଏହାର ସୁଯୋଗ ନେଇ ଫସିଥିବା ଗାଡିଟିକୁ ପ୍ରଥମେ ଟ୍ରାକ୍ଟର ଏବଂ ପରେ ମେସିନ ଲଗାଇ ଉଠାଇ ନେବାରେ ସଫଳ ହୋଇଥିଲେ ଚୋରା କୋଇଲା ଚାଲଣ କରୁଥିବା ଅସାଧୁ ବ୍ୟକ୍ତିମାନେ। ଏହାପରେ ବହୁ ବିଳମ୍ବରେ ସେଠାରେ ପୋଲିସ ପହଞ୍ଚି ଖାଲି ହାତରେ ଫେରିଥିଲା । ତେବେ ପୋଲିସର ଏପରି ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି । ତିହିଡି ଥାନାରୁ ପୋଲିସ ଗାଡି ବାହାରିଲେ ଅତିବେଶିରେ ଅଧାଘଣ୍ଟା ଲାଗିବା କଥା । କିନ୍ତୁ ପୋଲିସ ଜାଣିଶୁଣି ବିଳମ୍ବ କରିଛି ଯାହା ମାଫିଆଙ୍କୁ ସୁହାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ରାତି ତମାମ ଟ୍ରିପ ଟ୍ରିପ ଚୋରା କୋଇଲା ବୋଝେଇ ପିକଅପ ଭ୍ୟାନ ସହିତ 10 ଚକିଆ ଗାଡ଼ି ଏହି ନୂଆନନ୍ଦରୁ ଅନ୍ୟତ୍ର ଚାଲାଣ ହେଉଛି । ପୋଲିସ ନାମକୁ ମାତ୍ର ପାଟ୍ରୋଲିଂ କରୁଛି, ଯାହାର ଭରପୁର ଫାଇଦା ଉଠାଉଛନ୍ତି କୋଇଲା ମାଫିଆ । ମାଫିଆମାନଙ୍କ ସହିତ ପୋଲିସର ଉତ୍ତମ ସମ୍ପର୍କ ରହୁଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।
ସୂଚନା ଥାଉକି, ଏହି ଚୋରା କୋଇଲା ଚାଲାଣକୁ ନେଇ ନୂଆନନ୍ଦରେ ମାତ୍ରାଧିକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହାକୁ ବିରୋଧ କରି ସରପଞ୍ଚଙ୍କ ସମେତ ସମିତି ସଭ୍ୟ ଓ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ । ମାଫିଆଙ୍କ ରାଜରେ କବଳିତ ନୂଆନନ୍ଦ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀ ଉମାକାନ୍ତ ମହାପାତ୍ର । ତେବେ ପୋଲିସ ନିରବଦ୍ରଷ୍ଟା ସାଜିଥିବା ବେଳେ ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।
ଇଟିଭି ଭାରତ, ଭଦ୍ରକ