ଭଦ୍ରକ: ବାତ୍ଯା ୟସ ଆସିଲା, ତାଣ୍ଡବ କରି ଚାଲିଗଲା । ହେଲେ ବିପନ୍ନଙ୍କୁ ଦେଇଗଲା ଅସହ୍ୟ ଦୁଃଖ, ଦାରୁଣ ଯନ୍ତ୍ରଣା । କେଉଁଠି ବର୍ଷା ଓ ପବନ ମାଡରେ କଚ୍ଚା ଘର ଧରାଶ୍ରୟୀ ହୋଇଯାଇଛି ତ ଆଉ କେଉଁଠି ଛପରଘର ଉଡିଯାଇଛି । ଏପରିକି ବଡ ବଡ ଗଛ ଉପୁଡି ପଡିବାରୁ ଅନେକ ଘର ଭାଙ୍ଗି ଯାଇଛି ।
ସେହିପରି ବିଭିନ୍ନ ସ୍ଥାନରେ ବିଦ୍ଯୁତ ଖୁଣ୍ଟ ଉପୁଡି ପଡିଥିବାରୁ ବିଦ୍ଯୁତ ସରବରାହ ବିଚ୍ଛିନ୍ନ ହୋଇଯାଛି । ତିନିଦିନ ହେବ ଏହି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଧ ରହିଥିବା ବେଳେ ଏବେ ଦାଉ ସାଜୁଛି ବନ୍ୟା ପରିସ୍ଥିତି । ବିଗତ ଚାରି ଦିନ ହେବ ଲଗାଣ ବର୍ଷା ହେବା ଫଳରେ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଉପର ମୁଣ୍ଡରୁ ବର୍ଷା ପାଣି ଗଡିବା ପରେ ତଳିଆ ଅଞ୍ଚଳରେ ପାଣି ଜମାଟ ବାନ୍ଧିଛି । ପୂର୍ଣ୍ଣମୀ ଜୁଆର ଥିବାରୁ ସମୁଦ୍ରକୁ ଏହି ବନ୍ୟା ଜଳ ନିଷ୍କାସିତ ହୋଇପାରୁ ନଥିବା ସୂଚନା ମିଳିଛି ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସଲାଙ୍ଗିଆ ଓ ବାହାବଳପୁର ପଞ୍ଚାୟତର ସମସ୍ତ ଗାଁ ଜଳବନ୍ଦି ହୋଇଥିବାର ପରିଲକ୍ଷିତ ହୋଇଥିବା ବେଳେ ନରେନ୍ଦ୍ରପୁର, ଗୋବିନ୍ଦପୁର, ବାରସର, ଶ୍ୟାମସୁନ୍ଦରପୁର, କାଁପଡା ଓ ସାହାପୁର ପଞ୍ଚାୟତ କେତେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡ଼ିଛି । ତେବେ ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ନଥିବାରୁ ବିପନ୍ନଙ୍କ ମହଲରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ