ଭଦ୍ରକ: ଜିଲ୍ଲା ପୀରହାଟ ଅନ୍ତର୍ଗତ ମାଲପୁର ଗାଁର ସୁଧାରଞ୍ଜନ ମହାନ୍ତିଙ୍କ ଗର୍ଭବତୀ ଝିଅ ପ୍ରଜ୍ଞାସିନୀ ମହାନ୍ତିଙ୍କୁ ଯୋଜନାବଦ୍ଧ ଭାବେ ସ୍ୱାମୀ ସମେତ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ନେଇ ଭଦ୍ରକ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ହତ୍ୟା ଭଳି ଏକ ଜଘନ୍ୟ ଅପରାଧରେ ପୋଲିସ ସ୍ୱାମୀକୁ ଅଟକ ରଖି ପରେ ଛାଡି ଦେଇଥିବାରୁ ପ୍ରଜ୍ଞାସିନୀଙ୍କ ବାପଘର ଲୋକଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ମୃତ ପ୍ରଜ୍ଞାସିନୀଙ୍କ ପରିବାର ଲୋକେ ଫେରାଦ ହୋଇଥିବା ଜଣାଯାଇଛି ।
ଖବର ଅନୁଯାୟୀ, 2018 ମସିହା ଡିସେମ୍ବର ମାସରେ ପ୍ରଜ୍ଞାସିନୀ ମହାନ୍ତି ସହିତ କେନ୍ଦୁଝର ନନ୍ଦୀପଦା ଥାନା ଅଁରା ଗାଁର ଖଗେଶ୍ୱର ଜେନାଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ବରପକ୍ଷଙ୍କ ଯୌତୁକ ଦାବି ମୁତାବକ ସୁନା ଗହଣା ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପ୍ରଦାନ କରାଯାଇଥିଲା । ବିବାହର କିଛି ମାସ ପରେ ସ୍ୱାମୀ ସମେତ ପରିବାର ଲୋକେ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହିତ ଅଧିକ ଯୌତୁକ ଆଣିବା ପାଇଁ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକି ପ୍ରଜ୍ଞାସିନୀ ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ତା ଶାଶୁଘର ପକ୍ଷରୁ ବାରମ୍ବାର ଦାବି କରାଯାଉଥିବା ଅର୍ଥ ଯୋଗାଇବାରେ ଅକ୍ଷମତା ପ୍ରକାଶ କରିବାରୁ ଝିଅକୁ ମାଡ଼ ଗାଳି ସହ ଅପମାନିତ ହେବାକୁ ପଡୁଥିଲା ।
ଅନ୍ୟପକ୍ଷରେ ପ୍ରଜ୍ଞାସିନୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପାଳିଆବିନ୍ଧା ଶାଖାରେ ଚାକିରି କରୁଥିଲେ। ତାଙ୍କ ଦରମା ଟଙ୍କା, ଏଟିଏମ୍ ଓ ବୀମା କାଗଜ ପତ୍ର ସବୁ ସ୍ୱାମୀ ପାଖରେ ରହୁଥିଲା । ଯିବା ଆସିବା ଖର୍ଚ୍ଚ ବାବଦକୁ ତାଙ୍କୁ ମାସିକ ମାତ୍ର ଦୁଇ ହଜାର ଟଙ୍କା ଦିଆଯାଉଥିଲା ବୋଲି ଜଣାପଡିଛି। ତେବେ କିଛି ଦିନ ପରେ ଝିଅ ଓ ଜ୍ୱାଇଁ ଭଦ୍ରକର ଗବସାହି ମୋଟେଲ ଛକରେ ଏକ ଭଡାଘରେ ରହୁଥିଲେ । ଯୌତୁକ ଲୋଭରେ ପ୍ରଜ୍ଞାସିନୀଙ୍କୁ ଚଳିତ ମାସ 10 ତାରିଖରେ ଯୋଜନାବଦ୍ଧ ଭାବେ ହତ୍ୟାକରି ନାଟକୀୟ ଢଙ୍ଗରେ ବାଥ୍ ରୁମରୁ ପଡି ଗୁରୁତର ହୋଇଥିବା ନେଇ 6 ଘଣ୍ଟା ପରେ ବାପଘର ଲୋକଙ୍କୁ ଜଣାଇଥିଲେ। ତେବେ ଆସାମୀମାନଙ୍କ ପ୍ରତି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ପରିବାର ଲୋକେ।
ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସଠିକ ତଦନ୍ତ ନକରି ମୁଖ୍ୟ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେବା ପୋଲିସ୍ର ନିରପେକ୍ଷ ତଦନ୍ତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଉପଯୁକ୍ତ ନ୍ୟାୟ ନମିଳିଲେ ଉପରିସ୍ଥ ପଦାଧିକାରୀଙ୍କ ଦ୍ବାରସ୍ଥ ହେବେ ବୋଲି ପ୍ରଜ୍ଞାସିନୀଙ୍କ ବାପା ଚେତାବନୀ ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ