ଭଦ୍ରକ: ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ପୁଣି ଖଟିଆରେ ବୁହାହେଲେ ଜଣେ କର୍କଟ ରୋଗୀ । ଏମିତି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ।
ଖବର ଅନୁଯାୟୀ ଚାନ୍ଦବାଲି ବ୍ଲକ ନାଳଗୋହିରା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଫଳରେ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ବର୍ଷା ହେବା ପରେ ରାସ୍ତାଟି ଆହୁରି ଖରାପ ହୋଇଯାଇଛି ।
ତେବେ ଗ୍ରାମର ଜଣେ କର୍କଟ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ, ଶେଷରେ ପରିବାର ଲୋକ ବାଧ୍ୟ ହୋଇ ଏହି ରାସ୍ତାରେ ରୋଗୀ ଜଣଙ୍କୁ ଏକ ଖଟିଆ ମାଧ୍ୟମରେ ମୁଖ୍ୟ ରାସ୍ତାକୁ ଆଣିଥିଲେ । ସେଠାରୁ ଆଣି ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ଜଣଙ୍କୁ ଭର୍ତ୍ତି କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ସମସ୍ୟା ଯଥାଶୀଘ୍ର ସମାଧାନ ହେବ ବୋଲି ସ୍ଥାନୀୟ ସରପଞ୍ଚ ଆସ୍ବାସନା ଦେଇଛନ୍ତି ।
ଏଠାରେ କହି ରଖୁଛୁ ଯେ କିଛିଦିନ ପୂର୍ବରୁ, ଏହି ଅଞ୍ଚଳରେ ଜଣେ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହିପରି ଖଟିଆରେ ବୋହି ଡାକ୍ତରଖାନା ନିଆଯାଇଥିଲା । ହେଲେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପ୍ରଶାସନ ଚୁପ ବସିପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ନିକଟରେ ରାସ୍ତାର ଦୂରାବସ୍ତା ନେଇ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଯାହାର ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ