ଭଦ୍ରକ: ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି । ଏହି ବାର୍ତ୍ତାକୁ ନେଇ ସୁଦୂର କୋଲକାତାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ବାପି ଦେବନାଥଙ୍କ ସାଇକେଲ ଶୁକ୍ରବାର ଭଦ୍ରକରେ ପହଞ୍ଚିଛି । ତେବେ ସେ ପରିବେଶ ସୁରକ୍ଷାର ପ୍ରଚାର ଓ ପ୍ରସାର କରିବା ସହ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଯାତ୍ରା ଆରମ୍ଭ କରିଛନ୍ତି ।
ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲର ସୁରକ୍ଷା ନିତାନ୍ତ ଆବଶ୍ୟକ । ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏନେଇ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ଉଚିତ । କଳକାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ନଷ୍ଟ କରୁଥିବା ବେଳେ ଘରେ ଘରେ ଆଜି ମୋଟର ସାଇକେଲ ହେଲାଣି । ସେ ସବୁର ଧୂଆଁ ମଧ୍ୟ ପରିବେଶକୁ ନଷ୍ଟ କରୁଛି । ଜରୁରୀ ନଥିଲେ ବାଇକ ଅଥବା ଚାରି ଚକିଆ ଯାନ ବ୍ୟବହାର କରିବା ଉଚିତ ନୁହେଁ । ପ୍ରତିବଦଳରେ ସାଇକେଲ ହିଁ ସାହା ହେବାର ଉଚିତ । ଏହାଦ୍ବାରା ବିନା ଖର୍ଚ୍ଚରେ କାମ ହେବା ସହିତ ପରିବେଶକୁ ଟିକିଏ ଆଶ୍ୱସ୍ଥି ମିଳିପାରନ୍ତା ବୋଲି ଦେବନାଥ ସଚେତନତା ସୃଷ୍ଟି କରୁଛନ୍ତି ।
ବାପି ଦେବନାଥ ପେଶାରେ ଜଣେ ଫେସନ ଫଟୋ ଗ୍ରାଫର । ତ୍ରିପୁରା ରାଜ୍ୟର ୱେଷ୍ଟ ତ୍ରିପୁରା ଜିଲ୍ଲା ଇଷ୍ଟ ପୋଲିସ ଷ୍ଟେସନ ଚନ୍ଦ୍ରପୁର ଗାଁର ହରିହର ଦେବନାଥଙ୍କ ପୁଅ ବାପି ଦେବନାଥ, ବୟସ ମାତ୍ର 31 । ବିଗତ 15 ବର୍ଷ ହେଲା କୋଲକାତାରେ ରହି ଫେସନ ଫଟୋଗ୍ରାଫର ଭାବେ ସେ କାମ କରି ଆସୁଛନ୍ତି । ସାଇକେଲ ଯୋଗେ କନ୍ୟାକୁମାରୀ ପର୍ଯ୍ୟନ୍ତ ଭ୍ରମଣ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ତାଙ୍କର ଲକ୍ଷ୍ୟ ରହିଛି ।
ସାମୟିକ ଫୁର୍ସତ ମିଳିବା ପରେ କୋରୋନା କାଳରେ ମଧ୍ୟ ଏପରି ଭ୍ରମଣ ଆରମ୍ଭ କରିଥିବା କହିଛନ୍ତି ବାପି ଦେବନାଥ । ଚଳିତ ମାସ 9 ତାରିଖରେ ଆରମ୍ଭ କରିଥିବା ଯାତ୍ରା ଏବେ ଭଦ୍ରକ ଜିଲ୍ଲା ଅତିକ୍ରମ କରି କେନ୍ଦ୍ରାପଡା ଅଭିମୁଖେ ଯାତ୍ରା କରିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛା ମିଳୁଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ