ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଆଇନଜୀବୀ ତଥା ସମାଜସେବୀ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିବା ନେଇ ଆଜି କଂଗ୍ରେସ ପକ୍ଷରୁ ମୋହର ମରାଯାଇଛି । ପୂର୍ବରୁ ବିଜେପି ଦିମ୍ବଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ସେହିଭଳି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ତେବେ ଏଠାରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳର ରାଜନୈତିକ ସମୀକରଣ ଆରମ୍ଭ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ଉପରେ ୩ ପ୍ରମୁଖ ଦଳର ନଜର ରହିଛି । ଏନେଇ ପ୍ରଥମେ ଦିବଙ୍ଗତ ବିଧାୟକ ତଥା ବରିଷ୍ଠ ବିଜେପି ନେତା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହାପରେ କଂଗ୍ରେସ ଓ ଶାସକ ଦଳ ବିଜେଡି ପକ୍ଷରୁ ଏକାଧିକ ଆଶାୟୀ ରହିଥିବା ବେଳେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନା ଜଳ୍ପନା ଜାରି ରହିଥିଲା ।
ଏହା ମଧ୍ୟ ପଢନ୍ତୁ: Dhamnagar By-poll: ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ କହିଲେ ଅବନ୍ତୀ ଦାସ
ତେବେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ଆଇନଜୀବୀ ତଥା ସମାଜସେବୀ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । କଂଗ୍ରେସ ଦଳ ପକ୍ଷରୁ ଅନେକ ତର୍ଜମା କରାଯିବା ପରେ ପ୍ରାର୍ଥୀତ୍ବ ଘୋଷଣା ହୋଇଥିବାରୁ ଏଥର ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ଦଳର ନେତା ଓ କର୍ମୀ । ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ହରେକୃଷ୍ଣ ସେଠୀଙ୍କ ନାମକୁ ଅନୁମୋଦନ କରାଯାଇଥିବା ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ବାବା ହରେକୃଷ୍ଣ ଆସନ୍ତା କାଲି (ଗୁରୁବାର) ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ତେବେ ସେ ଜଣେ ସମାଜସେବୀ, ସୁସଂଗଠକ ତଥା ଦକ୍ଷ ଆଇନଜୀବୀ ଭାବେ ପରିଚିତ । ତାଙ୍କ ପତ୍ନୀ ପ୍ରମିଳା ସେଠୀ କଂଗ୍ରେସ ପ୍ରାର୍ଥିନୀ ଭାବେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷା ପ୍ରାର୍ଥନୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ।
ଇଟିଭି ଭାରତ, ଭଦ୍ରକ