ଭଦ୍ରକ: ଆଜି(ଶନିବାର)ଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏହାର ଶେଷ ଦିନରେ ପଡିବ ଶ୍ରୀରାମ ନବମୀ । ତେବେ ସାରା ରାଜ୍ୟରେ ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହାକି ଆଜି ହିନ୍ଦୁ ନବବର୍ଷ ଏପ୍ରିଲ ମାସ 2 ତାରିଖ ଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ବୋଲି ଜଣାପଡିଛି ।
ଏହି ମହୋତ୍ସବ ପାଇଁ ସମିତି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଆଜି ଗୋ-ପୂଜନ ଓ ସାଧୁ ସନ୍ଥ ମାନଙ୍କ ପୂଜନ ସହ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରି ରାହାଞ୍ଜ ପର୍ଯ୍ୟନ୍ତ ଯାଇଥିଲା । ଗଣପର୍ବ ଭାବେ ପରିଚିତ ଏହି ଭଦ୍ରକର ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଏପ୍ରିଲ 4 ତାରିଖ ପାଖରୁ 10 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
8 ତାରିଖ ଦିନ ମା' ବିରଜା, ମା' ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣୀଙ୍କ ପାଖରୁ ଆଜ୍ଞାମାଳ ଆସିବ। ସେହିଦିନ 108 କଳସ ଶୋଭାଯାତ୍ରା କରାଯିବ ସହିତ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହ ଯଜ୍ଞ ପାଠ କରାଯିବ। ଶେଷରେ 10 ତାରିଖ ଦିନ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରାଯିବ ବୋଲି ସମିତି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ