ଭଦ୍ରକ: ପୂର୍ବ ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଖଡିଜାଁଣ ଗାଁରେ । ଖବର ଅନୁଯାୟୀ ସୁରେନ୍ଦ୍ର ଦାସଙ୍କ ସ୍ତ୍ରୀକୁ ତାଙ୍କ ଦେଢଶୁର ଓ ଯାଆ ମାଡ ମାରି ଡାହାଣ ହାତ ଭାଙ୍ଗି ଦେଇଥିବା ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ସୁରେନ୍ଦ୍ର ଦାସଙ୍କ ସ୍ତ୍ରୀ ନଳକୂପରୁ ପାଣି ନେଇ ଆସୁଥିବା ବେଳେ ତାଙ୍କ ଦେଢଶୁର ପ୍ରଫୁଲ ଦାସ ଓ ଯାଆ ଖସ ଦାସ ତାଙ୍କର ବାଟ ଉଗାଳିଥିଲେ। ଉକ୍ତ ବାଟ ଦେଇ ଯିବାକୁ ମନା କରିବା ସହିତ ତାଙ୍କ ଚୁଟିକୁ ଧରି ଘୋଷାରି ତଳେ ପକାଇ ଦେଢଶୁର ବାଡିରେ ନିସ୍ତୁକ ମାଡ ମାରିବା ସହ ଯାଆ ତାଙ୍କ ଅଳଙ୍କାର ଛଡେଇ ନେଇଥିବା ଅଭିଯୋଗ ହୋଇଛି।
ସୁରେନ୍ଦ୍ରଙ୍କ ସ୍ତ୍ରୀ ବେହୋସ ହୋଇ ତଳେ ପଡି ଯାଇଥିବା ବେଳେ ଖବର ପାଇ ତାଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମହିଳା ଜଣଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଦେଢଶୁର ପ୍ରଫୁଲ ଦାସ ଓ ଯାଆ ଖସ ଦାସଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏପରି ସ୍ଥଳେ ଏଯାଏଁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମତୀଙ୍କ ସ୍ୱାମୀ। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଅନ୍ୟପଟେ ଏହି ମହିଳା ଜଣକ ଗାଁର ୱାର୍ଡ ମେମ୍ବର ଅଟନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନି ଦେଇଛନ୍ତି ପୀଡିତାଙ୍କ ସ୍ଵାମୀ।
ଭଦ୍ରକରୁ ଦେବାଷିଶ ମହାପାତ୍ର, ଇଟିଭି ଭାରତ