ଭଦ୍ରକ: ନବବଧୂ ଜୀବନ୍ତ ଦଗ୍ଧ। ବିବାହର ଚାରି ମାସ ପରେ ଏହିପରି ଅଭାବନୀୟ ଘଟଣା ଘଟିଛି। ଝିଅ ଘର ପକ୍ଷରୁ ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଣ୍ଡରେଇ ଗାଁର ପ୍ରଜ୍ଞା ପାରମିତା ଜେନା, ଭଦ୍ରକ ଜିଲ୍ଲା ସାବରଙ୍ଗ ଚକପୁର ଗାଁର ତପନ ଜେନାଙ୍କୁ ଚାରି ମାସ ତଳେ ବିବାହ କରିଥିଲେ। ତେବେ ଗୁରୁବାର ହଠାତ ପ୍ରଜ୍ଞା କିରୋସିନ ଢାଳି ଆତ୍ମହତ୍ୟା କରିଥିବା ନେଇ ଖବର ପାଇଥିଲେ ତାଙ୍କ ପରିବାର ଲୋକେ। ପ୍ରଜ୍ଞାଙ୍କ ପରିବାର ଲୋକେ ଶାଶୁ ଘରେ ପହଞ୍ଚିବା ସହ ଏହା ଏକ ଯୌତୁକଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫରେନସିକ ଟିମ ସହାୟତା ରେ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ପ୍ରଜ୍ଞାଙ୍କ ସ୍ବାମୀ ତପନ ଜେନାଙ୍କୁ ଅଟକ ରଖାଯାଇଛି। ତେବେ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ଥିବା ଜଣାପଡ଼ିଛି। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ